ଓଡିଶା

odisha

ETV Bharat / city

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଉତ୍ସବମୁଖର ଓଡ଼ିଶା, ଚାରିଆଡ଼େ ଶୁଭୁଛି କୃଷ୍ଣନାମ - ଜନ୍ମାଷ୍ଟମୀରେ ଉତ୍ସବମୁଖର ଓଡ଼ିଶା

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଦ୍ବାପର ଯୁଗରେ ଆଜିର ଦିନରେ ଦୁଷ୍ଟ କଂସକୁ ବଦ୍ଧ କରିବା ପାଇଁ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ ବାଲ କହ୍ନେୟାଁ । ଏହି ପବିତ୍ର ଦିବସକୁ ଦେଶ ସମେତ ରାଜ୍ୟରେ ଧୁମଧାମରେ ପାଳନ କରାଯାଏ । କିନ୍ତୁ ଚଳିତବର୍ଷ କୋଭିଡ଼ ଯୋଗୁଁ କେଉଁଠି ମନ୍ଦିର ଖାଁ ଖାଁ ତ ଆଉ କେଉଁଠି କଟକଣା ସହିତ ପାଳିତ ହେଉଛି କହ୍ନେୟାଁ ଲାଲର ଜନ୍ମତିଥିକୁ । ଓଡ଼ିଶାରେ ଜନ୍ମାଷ୍ଟମୀରେ ଥିଲା କିପରି ମାହୋଲ, ଦେଖନ୍ତୁ ଏହି ରିପୋର୍ଟ...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଉତ୍ସବମୁଖର ଓଡ଼ିଶା, ଚାରିଆଡ଼େ ଶୁଭୁଛି କୃଷ୍ଣନାମ
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଉତ୍ସବମୁଖର ଓଡ଼ିଶା, ଚାରିଆଡ଼େ ଶୁଭୁଛି କୃଷ୍ଣନାମ

By

Published : Aug 30, 2021, 8:47 PM IST

ଭୁବନେଶ୍ବର:ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଦ୍ବାପର ଯୁଗରେ ଆଜିର ଦିନରେ ଦୁଷ୍ଟ କଂସକୁ ବଦ୍ଧ କରିବା ପାଇଁ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ ବାଲ କହ୍ନେୟାଁ । ଏହି ପବିତ୍ର ଦିବସକୁ ଦେଶ ସମେତ ରାଜ୍ୟରେ ଧୁମଧାମରେ ପାଳନ କରାଯାଏ । ହିନ୍ଦୁ ଧର୍ମାବଲମ୍ବୀମାନେ ଉପବାସ ରଖନ୍ତି । ମନ୍ଦିରରେ ଦୀପ ଜଳାଇ ଶ୍ରଦ୍ଧାଳୁମାନେ ପରିବାରର ଶୁଭ ମନାସିଥାନ୍ତି । ଏହି ଦିବସରେ ଚାରିଆଡ଼େ ଭକ୍ତିମୟ ପରିବେଶ ସୃଷ୍ଟି ହୁଏ । କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠେ । ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମେ । କିନ୍ତୁ ଚଳିତ ବର୍ଷ କଟକଣା ଆଂଶିକ କୋହଳ ହୋଇଥିବାରୁ କିଛି ମନ୍ଦିରରେ ଭିଡ଼ ଦେଖିବାକୁ ମିଳୁଥିବାବେଳେ କିଛି ମନ୍ଦିର ଏବେ ମଧ୍ୟ ଖାଁ ଖାଁ ରହିଛି ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ; ଉତ୍ସବମୁଖର ଓଡ଼ିଶା, ଚାରିଆଡ଼େ ଶୁଭୁଛି କୃଷ୍ଣନାମ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର ଧାମ । କୋଭିଡ଼ କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଶ୍ରଦ୍ଧାଳୁମାନେ ପତିତପାବନଙ୍କୁ ଦର୍ଶନ କରି ଫେରୁଥିବା ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାର ଅନ୍ୟ ମନ୍ଦିର ଓ ମଠଗୁଡ଼ିକରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେଉଥିବାବେଳେ ପ୍ରଭୁଙ୍କୁ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି ଭକ୍ତଗଣ । ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିର ଭିଡ଼ ସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଫଳରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ । ଏହାକୁ ନେଇ ଭକ୍ତ ନିରାଶ ନିଶ୍ଚିତ, କିନ୍ତୁ ପତିତପାବନଙ୍କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଭକ୍ତ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ ଜିଲ୍ଲାର ଅନ୍ୟ ମନ୍ଦିରରେ ଭକ୍ତମାନେ ଠାକୁରଙ୍କୁ ପୂଜାର୍ଚ୍ଚନା କରିଛନ୍ତି । କୋଭିଡ଼ କଟକଣା ଲାଗି ସୀମିତ ଲୋକଙ୍କୁ ନେଇ ଜନ୍ମାଷ୍ଟମୀର ନୀତି ପାଳନ ହେଉଛି । ତେବେ ଶ୍ରୀମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ପାଖ ମଠକୁ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ।

ଭୁବନେଶ୍ବର ଇସ୍କନ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଛି ଲୋକଙ୍କ ଗହଳି । ଗତ ୨୩ ତାରିଖରୁ ରାଜଧାନୀରେ ଦର୍ଶନ ପାଇଁ ସବୁ ମନ୍ଦିର ଖୋଲାଯାଇଛି । ସଂକ୍ରମଣ ଓ ଭିଡ଼କୁ ନଜରରେ ରଖି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଫଳରେ ଭକ୍ତମାନେ ବାହାରେ ଠିଆ ହୋଇ ରାଧାକୃଷ୍ଣଙ୍କୁ ଦର୍ଶନ କରିଛନ୍ତି । ପାଖରୁ ଠାକୁରଙ୍କୁ ଦର୍ଶନ ନ କରି ଭକ୍ତଙ୍କ ମନ ନିରାଶ ହୋଇଛି ସତ, କିନ୍ତୁ ବାହାର ପଟୁ ଅର୍ଥାତ ପ୍ରଭୁଙ୍କ ଦୁଆରୁ ଦର୍ଶନ ପାଇଥିବାରୁ ଭକ୍ତମାନେ ବେଶ ଆନନ୍ଦ ଥିବା କହିଛନ୍ତି ।

କେନ୍ଦୁଝର ସହରରେ ଥିବା ରାହସ ମନ୍ଦିରରେ ମଧ୍ୟ କୋଭିଡ଼ କଟକଣା ସହିତ ଜନ୍ମାଷ୍ଟମୀକୁ ଧୁମଧାମରେ ପାଳନ କରାଯାଉଛି । ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତଙ୍କ ଭିଡ଼କୁ ଦେଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ କୋରୋନା କଟକଣା ନିୟମ ପାଳନ କରାଯାଉଛି । ଗତ ବର୍ଷ କୋରୋନା କଟକଣା ସମୟରେ ମନ୍ଦିର ପ୍ରବେଶ ବନ୍ଦ କରାଯାଇଥିଲା ବେଳେ ଚଳିତ ବର୍ଷ ଭକ୍ତ ଦର୍ଶନ ପାଇ ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଭିଡ଼ ପରିଲକ୍ଷିତ ହେଉଛି ।

ଢେଙ୍କାନାଳ ସହରସ୍ଥିତ ରାଧାକୃଷ୍ଣ ମନ୍ଦିରକୁ ମାନସିକ ରଖିଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଗତ ଦୁଇ ବର୍ଷ ଧରି କୋଭିଡର କଡା କଟକଣା ଯୋଗୁଁ ପ୍ରଭୁଙ୍କୁ ସିଧାସଳଖ ଦର୍ଶନ ଟିକିଏ ପାଇବାରୁ ବଞ୍ଚିତ ଥିଲେ ଭକ୍ତ । ମାତ୍ର ଆଜି ଢେଙ୍କାନାଳରେ କଟକଣା ଟିକିଏ କୋହଳ ରହିଥିବାରୁ ରାଧାକୃଷ୍ଣ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇ ଭକ୍ତମାନେ ଭକ୍ତିରେ ବିଭୋର ହୋଇପଡିଛନ୍ତି । ତେବେ କୋଭିଡ କଟକଣା କୋହଳ ଥିଲେ ମଧ୍ୟ ମନ୍ଦିର ଗମ୍ଭୀର ଘର ଫାଟକ ବନ୍ଦ କରାଯାଇଛି । ଫଳରେ ଭକ୍ତମାନେ ବାହାରୁ ପ୍ରଭୁଙ୍କୁ ଦର୍ଶନ କରିବା ସହ ଦୀପ ଜାଳି ପରିବାରର ମଙ୍ଗଳ ମନାସିଥିଲେ ।

ଯାଜପୁର ବ୍ୟାସନଗର ସନ୍ତରାସ୍ଥିତ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ମାତ୍ର ଏଥର ମଧ୍ୟ ଏହି ଉତ୍ସଵ ଉପରେ କୋରୋନା କଟକଣା ଲାଗିଥିବା ଦେଖିବାକୁ ମିଳିଛି । ଅଧିକାଂଶ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନାହିଁ । ଆଜି ମନରେ ଦୁଃଖ ଥିଲେବି ଅଧିକାଂଶ ଭକ୍ତ ମନ୍ଦିରକୁ ନଆସି ଘରେ ରହି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଵିଶେଷ ଭାବରେ ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ଯେଭଳି ଭାବରେ ହଜାର ହଜାର ଭକ୍ତ ଆଜିର ଦିନରେ ଭିଡ଼ ଜମିଥାଏ। ମାତ୍ର ଏଥର କୋଭିଡ କଟକଣା ପାଇଁ ସେଭଳି ଭିଡ଼ ଦେଖିବାକୁ ମିଳିନାହିଁ।

ସୁବର୍ଣ୍ଣପୁର ଜିଲ୍ଲାରେ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ । କୋରୋନା କଟକଣା ଭିତରେ ପୁର ପଲ୍ଲୀରୁ ଆରମ୍ଭ କରି ସହରର ଅଷ୍ଟବିଷ୍ଣୁଙ୍କ ମନ୍ଦିର ସବୁଠାରେ ହରିବଂଶ ପୁରାଣର ଶ୍ରୀକୃଷ୍ଣ ଜନ୍ମ ଅଧ୍ୟାୟ ପାଠ କରାଯାଉଛି । ମହିଳାମାନେ ବାଳ ଗୋପାଳଙ୍କୁ ପଞ୍ଚାମୃତ ଓ ଗଙ୍ଗାଜଳରେ ସ୍ନାନ କରାଇ ଧୂପ, ଦୀପ ପ୍ରଦାନ କରିବା ସହିତ ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରୁଛନ୍ତି ।

ରାଜ୍ୟରେ କେଉଁଠି ମନ୍ଦିରରେ ଭିଡ଼ ଜମିଛି ତ କେଉଁଠି ମନ୍ଦିର ଖାଁ ଖାଁ ରହିଛି । ଏବେ ବି ମହାମାରୀର ଭୟ ଯୋଗୁଁ ପୂର୍ବ ଭଳି ମନ୍ଦିରରେ ଭିଡ଼ ଦେଖାଯାଇନାହଁ । ସମସ୍ତେ ମହାମାରୀକୁ ଦୂର କରିବା ପାଇଁ ଶତ୍ରୁବିନାଶକାରୀ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details