ଭୁବନେଶ୍ବର: ରାଜଧାନୀରେ କୋଲକାତା କ୍ରାଇମବ୍ରାଞ୍ଚ । ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣକୁ ଉଠାଇନେଲା କୋଲକାତା ପୋଲିସ । ୨ ଜଣଙ୍କ ମଧ୍ୟରେ ଜଣେ ଯୁବକ ରହିଥିବା ବେଳେ ଅନ୍ୟଜଣେ ଜଣେ ନାବାଳିକା ବୋଲି ଜଣାପଡ଼ିଛି । ତେବେ ଯୁବକ ଜଣକ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ହାଉସଗ୍ରାମ ଥାନା ଅଞ୍ଚଳର ପ୍ରଦୀପ ମଣ୍ଡଳ (୨୪) ବୋଲି ସୂଚନା ମିଳିଛି ।
ରାଜଧାନୀରେ କୋଲକାତା କ୍ରାଇମବ୍ରାଞ୍ଚ ଖବର ଅନୁଯାୟୀ କୋଲକାତା ପୋଲିସର ୪ ଜଣିଆ ଟିମ ଶନିିବାର ଭୁବନେଶ୍ବରରେ ପହଞ୍ଚି ଏହି ୨ ଜଣଙ୍କୁ ହେପାଜତକୁ ନେଇ ଭୁବନେଶ୍ବର କୋର୍ଟରେ ହାଜର କରାଇଥିଲା । ତେବେ ଏମାନେ ଲକ୍ଷ୍ମୀସାଗର ଥାନା କେନାଲ ରୋଡ ଅଞ୍ଚଳରେ ରହୁଥିବାର ଖବର ପାଇଥିଲା ପୋଲିସ । ଏନେଇ କୋଲକାତା ପୋଲିସର କ୍ରାଇମବ୍ରାଞ୍ଚ ଟିମ ଭୁବନେଶ୍ବର କମିଶନରେଟ ପୋଲିସ ସହାୟତାରେ ରେଡ କରିଥିଲା । ପରେ ଏକ ଭଡାଘରୁ ନାବାଳିକାକୁ ଉଦ୍ଧାର କରିବା ସହ ଯୁବକକୁ ଗିରଫ କରିଥିଲା । ଗିରଫ ପରେ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରିଥିଲା । ପରେ ଟ୍ରାନଜିଟ ରିମାଣ୍ଡ ଅନୁମତି ନେଇ ୨ ଜଣଙ୍କୁ କୋଲକାତା ନେଇଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ ଏକ ଅପହରଣ ମାମଲାର ତନାଘନା କରୁଛି କୋଲକାତାର ଏହି କ୍ରାଇମବ୍ରାଞ୍ଚ ଟିମ । ଅଷ୍ଟମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଅପହରଣ କରି ଅଭିଯୁକ୍ତ ଭୁବନେଶ୍ବର ଚାଲି ଆସିଥିବା କୋଲକାତା ପୋଲିସରୁ ସୂଚନା ମିଳିଛି । ଏନେଇ ଦୀର୍ଘ ୧ ମାସ ଧରି ଖୋଜାଖୋଜି ପରେ ଦୁଇ ଜଣ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଖବର ପାଇଥିଲା କୋଲକାତା ପୋଲିସ । ପରେ ଉଭୟ ପୁରୁଷ ଓ ମହିଳା ପୋଲିସର ଏକ ମିଳିତ ୪ ଜଣିଆ ଟିମ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା । ତେବେ କେନାଲ ରୋଡର ଏକ ଭଡା ଘରୁ ଏମାନଙ୍କୁ କାବୁ କରାଯାଇଛି ।
କୋଲକାତା ପୋଲିସର କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସୂଚନା ମୁତାବକ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ହାଉସଗ୍ରାମ ଥାନାରେ ଏକ ନାବାଳିକା ଅପହରଣ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ କରୁଥିଲା । ନାବାଳିକା ଥିବାରୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚର ସହାୟତା ନିଆଯାଇଥିଲା । ଶେଷରେ ତଦନ୍ତ କରି ଏମାନଙ୍କୁ ଟ୍ରାକ କରିଛୁ । ତଦନ୍ତ ଦୃଷ୍ଟିରୁ ଅଧିକା କୌଣସି ସୂଚନା ଦେଇନଥିଲା କ୍ରାଇମବ୍ରାଞ୍ଚ ।
ଇଟିଭି ଭାରତ, ଭୁବନେଶ୍ବର