ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'କୁ ନେଇ ୟଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବୁଲବୁଲ ପାରାଦ୍ବୀପ ଠାରୁ ଦକ୍ଷିଣକୁ 640 କିମି ଦୁରତାରେ ରହିଛି । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଉତ୍ତର ଉପକୂଳରେ ଦେଇ ଗତି କରିବ ।
ନଭେମ୍ବର 9ରୁ ଉତ୍ତର ଉପକୂଳ ଗତି କରି ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଯିବ । ବୁଲବୁଲ ପ୍ରଭାବର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପୁରୀ, ଜଗତସିଂହପୁର, ଭଦ୍ରକ ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ସେହିପରି କଟକ, ଯାଜପୁର ଓ ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷ। ହେବାର ସମ୍ଭାବନା ରହିଛି । ଏହି 3 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଦିଆଯାଇଛି । ଉପକୂଳର ସବୁ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । 8 ତାରିଖ ସନ୍ଧ୍ୟାରେ ବର୍ଷା ଆରମ୍ଭ ହେବା ସହ ପବନର ବେଗ ମଧ୍ୟ ବଢ଼ିବ । ୯ ତାରିଖରେ ୭୦ ରୁ ୮୦ କିମି ବେଗରେ ପବନ ବହିବ । ଏଥିରେ ଚାଳଛପର ଘର ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହିତ ବିଦ୍ୟୁତ ସରବରାହ ବ୍ୟାଘାତ ହେବ ।