ଭୁବନେଶ୍ବର/କଟକ: ଅଲମ୍ପିକ୍ସ ଭଳି ବଡ଼ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ ରାଜ୍ୟରେ କ୍ରୀଡ଼ାବିତଙ୍କୁ ମିଳୁନି ଆବଶ୍ୟକୀୟ ଭିତ୍ତିଭୂମି । ଫଳ ସ୍ବରୁପ ବାରମ୍ବାର ଏଭଳି ବିଗ୍ ଇଭେଣ୍ଟରେ ଫେଲ ମାରୁଛନ୍ତି ରାଜ୍ୟର କ୍ରୀଡ଼ାବିତ୍ । ବଡ଼ ଇଭେଣ୍ଟ ପାଇଁ ନିର୍ମାଣ ହେଉଥିବା ଷ୍ଟାଡିୟମ ଗୁଡ଼ିକର ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଏହାସହ କ୍ରୀଡ଼ାବିତଙ୍କୁ ଅନ୍ତର୍ଜାତୀୟ ସ୍ତରର ଭଲ କୋଚ୍ ଯୋଗାଇ ଦିଆଯାଉନାହିଁ । ଯାହା ଫଳରେ ଉପଯୁକ୍ତ ଅଭ୍ୟାସ କରି ପାରୁନାହାଁନ୍ତି ରାଜ୍ୟର କ୍ରୀଡ଼ାବିତ୍ ।
ବଡ଼ ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କ୍ରୀଡ଼ାବିତଙ୍କ ପାଇଁ ହାଇ ପରଫରମାନ୍ସ ସେଣ୍ଟର ତିଆରି ହେଉଛି । ତେବେ କଣ ଏହାଦ୍ବାରା କ୍ରୀଡ଼ାବିତ୍ ସଠିକ ଭାବରେ ଅଭ୍ୟାସ ସହ କୋଚିଂ ପାଇ ପାରୁଛନ୍ତି ? ଜିଲ୍ଲାସ୍ତରରେ ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜିବା ପାଇଁ ତିଆରି ହୋଇଥିବା ଷ୍ଟାଡିୟମରେ ଉପଯୁକ୍ତ କୋଚିଂ ଷ୍ଟାଫ୍ ରହୁଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ମନରେ ଉଙ୍କି ମାରିବା ଆରମ୍ଭ କରିଛି ।
ଜଣେ କ୍ରୀଡ଼ାବିତକୁ ତୃଣମୂଳ ସ୍ତରରୁ ପ୍ରସ୍ତୁତ କରିବା ନେଇ ରାଜ୍ୟ ସରକାର ଯୋଗାଇ ଦେଉଥିବା ସମସ୍ତ ଯୋଜନାର ଲାଭ ମିଳୁଛି କି ନାହିଁ, ତାହା ତଦାରଖ କରିବା ଆବଶ୍ୟକତା ରହିଛି । ୧୯୯୬ ମସିହାରୁ ଓଡ଼ିଆ ଆଥଲେଟ ଅଲମ୍ପିକ୍ସରେ ଭାଗ ନେଇ ଆସୁଛନ୍ତି । ହେଲେ ଏଯାଏଁ ଗୋଟିଏ ମଧ୍ୟ ପଦକ ଓଡ଼ିଆ ଆଥଲେଟ ଜିତି ପାରିନାହାଁନ୍ତି । ଦୀଲ୍ଲିପ ତିର୍କୀଙ୍କ ଭାବରେ ପ୍ରଥମ ଓଡ଼ିଆ ଅଲମ୍ପିଆନ ଦେଖିଥିଲା ରାଜ୍ୟ । ହେଲେ ତିନିତିନି ଥର ଅଲମ୍ପିକ୍ସରେ ଭାଗ ନେଇଥିବା ସତ୍ତ୍ବେ କୌଣସି ପଦକ ହାସଲ କରି ପାରିନଥିଲେ । ଏହାପରେ ଦୁଇ ପାରା ଆଥଲେଟଙ୍କୁ ମିଶାଇ ମୋଟ 17 ଜଣ ଓଡ଼ିଆ ଆଥଲେଟ ଅଲମ୍ପିକ୍ସରେ ଯୋଗ ଦେଇଥିଲେ ସୁଦ୍ଧା ଓଡ଼ିଶା ପାଇଁ ଗୋଟିଏ ମଧ୍ୟ ପଦକ ହାସଲ କରି ପାରିନାହାଁନ୍ତି ।