ଭୁବନେଶ୍ବର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି (ଶନିବାର) ତିନି ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ନାଁ ଘୋଷଣା କରିଛନ୍ତି । ଭୁବନେଶ୍ୱର ଲାଗି ସୁଲୋଚନା ଦାଶ, କଟକ ପାଇଁ ସୁବାସ ସିଂ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କ ନାଁ ଘୋଷଣା ହୋଇଛି । ତିନି ପ୍ରାର୍ଥୀଙ୍କ ମଧ୍ୟରେ ସମାନତା ହେଉଛି ଏମାନେ ଆମଦାନୀ ନେତା ।
ସେ ଯାହା ବି ହେଉ ଅନେକ ବିଚାର ବିମର୍ଷ, ଟଣାଓଟରା ପରେ ଦଳ ତିନି ପ୍ରାର୍ଥୀ ନାଁ ଘୋଷଣା କରିଛି । ତେବେ ଭୁବନେଶ୍ୱରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ କିଏ ଓ କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ? ସାମ୍ବାଦିକତାରୁ ରାଜନୀତି, ଆଉ ଏବେ ବିଜେଡିର ମେୟର ପ୍ରାର୍ଥୀ ହେଉଛନ୍ତି ସୁଲୋଚନା ଦାସ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଜନ୍ମିତ ସୁଲୋଚନା ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ରୀ ଥିଲେ । ଭଦ୍ରକ କଲେଜରୁ ଯୁକ୍ତ 3 ପାଠପଢା ଶେଷ ପରେ ବାଣୀବିହାରରେ ସାମ୍ବାଦିକତା କରିଥିଲେ ।
ଏହାସହ ସେ ବାଣୀବିହାରରୁ ଆଇନ ପାଠ ଶେଷ କରିଛନ୍ତି । ଏହାପରେ ସେ ସାମ୍ବାଦିକତାରେ କ୍ୟାରିଅର କରିଥିଲେ । ଦଶନ୍ଧିରୁ ଅଧିକ ସମୟ ଧରି ସେ ରାଜ୍ୟର ପ୍ରତିଷ୍ଠିତ ଓ ଜାତୀୟ ଗଣମାଧ୍ୟମରେ ଉଚ୍ଚପଦରେ ଅବସ୍ଥାପିତ ମଧ୍ୟ ହୋଇଛନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଗଣମାଧ୍ୟମ ସହିତ ଜଡିତ ଅଛନ୍ତି ।
ସୁଲୋଚନା ରାଜନୈତିକ କ୍ୟାରିଅର କଂଗ୍ରେସରୁ ଆରମ୍ଭ କରିଥିଲେ । ଦଳ ତାଙ୍କୁ ସାଧାରଣ ସମ୍ପାଦକ ସହ ମୁଖପାତ୍ର ଦାୟିତ୍ବ ଦେଇଥିଲା । ମୁଖପାତ୍ର ଭାବେ ସଠିକ ତଥ୍ୟ ଉପସ୍ଥାପନ କରି ବିଭିନ୍ନ ବିତର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ସୁଲୋଚନା ।
ତେବେ ସେ 2017 ଜୁନ 19 ରେ କଂଗ୍ରେସ ସହ ନିଜର ରାଜନୈତିକ ସମ୍ପର୍କ ଛିନ୍ନ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ । ଜୁନ 20ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବା ସହ ଦଳର ଆସେଟ ହେବେ ବୋଲି କହିଥିଲେ ।