ଭୁବନେଶ୍ବର: ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ତିଲେଇବଣି ବିଡିଓଙ୍କୁ ଆକ୍ରମଣ ଅଭିଯୋଗ ଓ ବିଧାୟକଙ୍କ ଗିରଫଦାରୀକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଜନସ୍ବାର୍ଥରେ ଉନ୍ନୟନମୂଳକ ଓ ନିର୍ବାଚନ ମଣ୍ଡଳୀର କାମ ପାଇଁ ସରାକରୀ ବାବୁ ମାନେ ଅନେକ ସମୟରେ ସାଂସଦ ଓ ବିଧାୟକଙ୍କ କଥା ଶୁଣୁ ନଥିବା ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ, ସାଂସଦ ଅଭିଯୋଗ ଆଣିଛନ୍ତି । ତେବେ ସରକାରୀ ଅଧିକାରୀଙ୍କ ଜନ ପ୍ରତିନିଧି ବିଶେଷ କରି ସାଂସଦ ଓ ବିଧାୟକଙ୍କ ଉଦ୍ଦେଶ୍ୟରେ କିଭଳି ବ୍ୟବହାର ପ୍ରଦର୍ଶନ କରିବେ ସେନେଇ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ 2005 ରୁ Book Circular No. 47 ଜାରି କରାଯାଇଛି। ତେବେ କଣ ରହିଛି ଏହି Book Circular No. 47 ? କଣ ରହିଛି ବିଧି ବ୍ୟବସ୍ଥା । ପଢନ୍ତୁ ଏହି ରିପୋର୍ଟରେ ।
Book Circular No 47 ଓଡିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ 30 ଜୁଲାଇ 2002, ଚିଠି ନମ୍ବର-8021ରେ ଜାରି ହୋଇଥିଲା । ପରବର୍ତ୍ତୀ ସମୟରେ 2 ଡିସେମ୍ବର 2005ରେ No. OLA-II-21/2005- 7820 /PAD ମାଧ୍ୟମରେ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯାଇ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସେତେବେଳର କମିଶନର ଓ ସଚିବ ତୁହିନୀକାନ୍ତ ପାଣ୍ଡେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ ସଚିବ, ଆରଡିସି, ସମସ୍ତ ବିଭାଗର ମୁଖ୍ୟ ଓ ଜିଲ୍ଲାପାଳଙ୍କ ଅବଗତି ପାଇଁ ଚିଠି କରିଥିଲେ।
Book Circular No 47 ଅନୁଯାୟୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ ଓ ବିଧାୟକଙ୍କ ମଧ୍ୟମରେ ଉତ୍ତମ ବୁଝାମଣା ରହିବା ଉପରେ ଗୁରୁତ୍ବ ଦିଆଯାଇଛି। କୁହାଯାଇଛି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ ଓ ବିଧାୟକଙ୍କ ଭୂମିକା ଅତି ଗରୁତ୍ବପୂର୍ଣ୍ଣ। ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସାଂସଦ ଓ ବିଧାୟକ ମାନଙ୍କୁ ବିଧାନ ସଭା ଓ ଲୋକସଭାରେ କିମ୍ବା ଲୋକଙ୍କ ପ୍ରତି ଥିବା ତାଙ୍କ ଉତ୍ତରଦ୍ବାୟିତ୍ବ ପାଳନ ପାଇଁ ଅନେକ ସମୟରେ ପ୍ରଶାସନିକ ସ୍ତରରୁ ବିଭିନ୍ନ ସୂଚନା ଆବଶ୍ୟକ କରିଥାନ୍ତି। ଏଥିପାଇଁ ସରକାରୀ ଅଧିକାରୀ ଓ ବିଧାୟକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୀତିଗତ ସିଦ୍ଧାନ୍ତ ତିଆରି କରାଯାଇ Book Circular No 47 କୁ ଜାରି କରାଯାଇଥିଲା। ଯେଉଁଥିରେ ସରକାରୀ ଅଧିକାରୀଙ୍କ ସାଂସଦ ଓ ବିଧାୟକଙ୍କ ପ୍ରତି କିଭଳି ବ୍ୟବହାର ରହିବ ସେନେଇ ବିଶଦଭାବେ ଉଲ୍ଲେଖ କରାଯାଇଛି।
ବିଧାୟକ ସାଂସଦଙ୍କୁ କିଭଳି ବ୍ୟବହାର ଦେଖାଇବେ ସରକାରୀ ବାବୁ?
Book Circular No 47 ବ୍ୟବସ୍ଥା ଅନୁଯାୟୀ ପ୍ରଥମ ଭାଗରେ କାର୍ଯ୍ୟାଳୟରେ ଅବସ୍ଥାପତି ଥିବା ସରକାରୀ ଅଧିକାରୀ କିଭଳି ସାଂସଦ ଓ ବିଧାୟକ ମାନଙ୍କୁ ବ୍ୟବହାର ପ୍ରଦର୍ଶନ କରିବେ ସେନେଇ ଉଲ୍ଲେଖ ରହିଛି। ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଦାୟିତ୍ବ ନିର୍ବାହ କଲାବେଳେ ଲୋକସେବା ବା ବିଧାନସଭାର ସଦସ୍ୟଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବେ । ଏଥିରେ ବିଳମ୍ବ ବା ଟାଳଟୁଳ ନୀତି ଅବଲମ୍ବନ କରିବେ ନାହିଁ। ବିଧାୟକ ଓ ସାଂସଦ ମାନଙ୍କୁ ସେମାନଙ୍କର ଲୋକଙ୍କ ପ୍ରତି ଥିବା ଦାୟିତ୍ବ ପୂରଣ କରିବା କାର୍ଯ୍ୟରେ ସାହାଯ୍ୟ କରିବା ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟର ଅଂଶ ବିଶେଷ ବୋଲି ଉଲ୍ଲେଖ କରାଯାଇଛି। କୌଣସି ସାଂସଦ କିମ୍ବା ବିଧାୟକ କୌଣସି ସରକାରୀ ଅଫିସକୁ ଆସିଲେ ସେମାନଙ୍କୁ ଆଗମନକୁ ସମ୍ମାନ ଜଣାଇବା ସହ ଭଦ୍ରତାର ସହ ବିଦାୟ ଦେବା ପାଇଁ ବୁକ ସର୍କୁଲାର 47ରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ଜିଲ୍ଲା ଓ ସବ ଡିଭିଜନାଲ ଅଫିସରେ ପ୍ରତ୍ୟେକ ଦିନ ଏଥିପାଇଁ ନିର୍ଦିଷ୍ଟ ସମୟ ରଖିବା ପାଇଁ କୁହାଯାଇଥିବା ବେଳେ ହେଡକ୍ବାର୍ଟର କାର୍ଯ୍ୟରତ ଥିବା ଅଧିକାରୀ ଏନେଇ ସଦସ୍ୟ ମାନଙ୍କୁ ପ୍ରାଥମିକତା ଦେବା ପାଇଁ କୁହାଯାଇଛି। ଯଦି କୌଣସି କାରଣରୁ ଅଧିକାରୀ ଜଣକ ଜନସ୍ବାର୍ଥ ସମ୍ବଳିତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ସେ ସାଂସଦ ଓ ବିଧାୟକଙ୍କୁ ନିଜ କାର୍ଯ୍ୟ ସମୟ ସୀମା ବାହାରେ ସାଂସଦ ଓ ବିଧାୟକଙ୍କୁ ଭେଟିବେ । ସରକାରୀ ଅଧିକାରୀ ଅଫିସର ଥିବା ସମୟରେ ବା ଅଫିସରେ ଅନୁପସ୍ଥିତ ଥିବା ସମୟରେ କୌଣସି ସଦସ୍ୟ ଫୋନ କଲେ ଏହାକୁ ରିସିଭ କରିବେ କିମ୍ବା କଲ ବ୍ୟାକ କରିବ ଓ ଅଫିସରେ ଏକ ରେଜିଷ୍ଟରେ ଏନେଇ ପଞ୍ଜିକୃତ କରିବା ପାଇଁ କୁହାଯାଇଛି।
ସରକାରୀ ବାବୁ ସାଂସଦ ଓ ବିଧାୟକଙ୍କୁ ପତ୍ର ମାଧ୍ୟମରେ କିଭଳି ଯୋଗାଯୋଗ କରିବେ ?