ଓଡିଶା

odisha

By

Published : Sep 16, 2021, 7:58 AM IST

ETV Bharat / city

ଆଜି ପବିତ୍ର ସୁଦଶା ବ୍ରତ, ମା'ଲକ୍ଷ୍ମୀଙ୍କୁ ଆରଧନା କରିବେ ମହିଳା

ଆଜି ପବିତ୍ର ସୁଦଶା ବ୍ରତ । ଯେ କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଗୁରୁବାର ପଡିଲେ ସେ ତିଥିରେ ସୁଦଶା ବ୍ରତ ପାଳନ କରାଯାଏ । ଓଡିଆଙ୍କ ପର୍ବ ମଧ୍ୟରୁ ଏହା ଏକ ବଡ ପର୍ବ । ଅଧିକ ପଢନ୍ତୁ...

ଆଜି ପବିତ୍ର ସୁଦଶା ବ୍ରତ, ମା'ଲକ୍ଷ୍ମୀଙ୍କୁ ଆରଧନା କରି ବ୍ରତ ପାଳିଲେ ମହିଳା
ଆଜି ପବିତ୍ର ସୁଦଶା ବ୍ରତ, ମା'ଲକ୍ଷ୍ମୀଙ୍କୁ ଆରଧନା କରି ବ୍ରତ ପାଳିଲେ ମହିଳା

ଭୁବନେଶ୍ବର:ଉତ୍କଳୀୟ ସଂସ୍କୃତିରେ ଓଷା ବ୍ରତର ଯଥେଷ୍ଟ ଗୁରୁତ୍ବ ରହିଛି । ଆଜି ପବିତ୍ର ସୁଦଶା ବ୍ରତ । ଯେ କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଗୁରୁବାର ପଡିଲେ ସେ ତିଥିରେ ସୁଦଶା ବ୍ରତ ପାଳନ କରାଯାଏ । ଓଡିଆଙ୍କ ପର୍ବ ମଧ୍ୟରୁ ଏହା ଏକ ବଡ ପର୍ବ । ଐଶ୍ଚର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ଆରଧନାରେ ସୁଦଶା ବ୍ରତ ନିଷ୍ଠା ଓ ଭକ୍ତିମୟ ପରିବେଷ ମଧ୍ୟରେ ରାଜ୍ୟର କୋଣ ଅନୁକୋଣରେ ପାଳିତ ହୋଇଛି ।

ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ବିବାହିତା ମହିଳାମାନେ ଧାରଣ କରିଥାନ୍ତି । ଏହି ପର୍ବ ଓଡ଼ିଶା ପାଇଁ ଏକ ବିଶେଷତ୍ବ ରହିଛି । ଏହାକୁ କେବଳ ଓଡ଼ିଆ ମହିଳା (ହିନ୍ଦୁ)ମାନେ ପାଳନ କରିଥାନ୍ତି ।

ବ୍ରତ କାହାଣୀ...

ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ପାଣି ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଥିଲା । ବ୍ରତ ହରାଇ ମନଦୁଃଖରେ କାନ୍ଦିବାକୁ ଲାଗିଥିଲା । ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ ।

ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ବର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଥିଲେ । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବା ପରେ ସେମାନଙ୍କର ସମସ୍ତ ସୁଖ ସୌଭାଗ୍ୟ ଫେରି ପାଇଥିଲେ । ସେବେଠୁ ଏହି ବ୍ରତ ପ୍ରତିଟି ଓଡିଆ ମହିଳା ପାଳନ କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details