ଭୁବନେଶ୍ବର: ଅକଳରେ ବିଶ୍ଵର ସର୍ବାଧିକ ବିଷାକ୍ତ ସାପଙ୍କ ଭିତରୁ ଗୋଟେ ଅହିରାଜ । ଲୋକଙ୍କ ଆକ୍ରମଣରେ କ୍ଷତାକ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛି 12 ଫୁଟ ଲମ୍ବର ଏହି ସାପ । ଓୟୁଏଟି ଭେଟେରିନାରୀ ସର୍ଜରୀ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ଓ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ତତ୍ୱାବଧାନରେ ଚାଲିଛି ଅହିରାଜର ଚିକିତ୍ସା ।
ଅକଳରେ ଅହିରାଜ, ଲୋକଙ୍କ ଇଟା ମାଡ଼ରେ ଭାଙ୍ଗିଲା ପିଞ୍ଜରା ହାଡ଼ - ଖୋର୍ଦ୍ଧାରେ ଲୋକଙ୍କ ଆକ୍ରମଣରେ ଘାଇଲା ହେଲା ଅହିରାଜ
ଅକଳରେ ବିଶ୍ଵର ସର୍ବାଧିକ ବିଷାକ୍ତ ସାପଙ୍କ ଭିତରୁ ଗୋଟେ ଅହିରାଜ । ଲୋକଙ୍କ ଆକ୍ରମଣରେ କ୍ଷତାକ୍ତ ହୋଇ ଜୀବନ ସହ କରୁଛି ସଂଗ୍ରାମ କରୁଛି 12 ଫୁଟ ଲମ୍ବର ଏହି ସାପ । ଅଧିକ ପଢନ୍ତୁ
ଦୁଇ ଦିନ ତଳେ ଖୋର୍ଦ୍ଧା ବାଲୁଗାଁ ଚିଲିକା ଛକରେ ଥିବା ରିଙ୍କୁ ବିଶ୍ୱାଳଙ୍କ ବାଡ଼ିରେ ପଶିଥିଲା ଏହି ବିରାଟକାୟ ଅହିରାଜ ସାପ । ଲୋକଙ୍କ ହୋ ହଲ୍ଲାରେ ଭୟଭୀତ ହୋଇ ଅହିରାଜ ଦୁଇଟି ଘର କାନ୍ଥ ଗଳିରେ ପଶିଯାଇଥିଲା । ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବାପି ମିଶ୍ର ଓ ମିହିର ପଣ୍ଡା ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଉଦ୍ଧାର ବେଳେ କେହି ଜଣେ ସାପକୁ ପଥର ମାଡ଼ କରିଥିଲେ । ଲୋକଙ୍କ ପ୍ରତିରୋଧ ସ୍ୱତ୍ତ୍ବେ ହେଲ୍ପ ଲାଇନ ସଦସ୍ୟ ବାପି ଅହିରାଜ ସାପକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।
କିନ୍ତୁ ପଥର ମାଡ଼ ଯୋଗୁଁ ସାପ ରକ୍ତାକ୍ତ ହୋଇଥିଲା । କ୍ଷତ ସ୍ଥାନରୁ ରକ୍ତସ୍ରାବ ହେଉଥିବା ଦେଖି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ପରାମର୍ଶ ଲୋଡିଥିଲେ ବାପି । ଆହତ ସାପକୁ ଜଙ୍ଗଲରେ ନ ଛାଡ଼ିବାକୁ ବାପିଙ୍କୁ ପରାମର୍ଶ ଦେଇଥିଲେ ଶୁଭେନ୍ଦୁ । ଶୁଭେନ୍ଦୁ ବାଲୁଗାଁ ଯାଇ ଆହତ ସାପକୁ ଦେଖିଥିଲେ । ସାପକୁ ବାଲୁଗାଁ ରେଞ୍ଜ ଅଫିସକୁ ନେଇ ପରୀକ୍ଷା କରାଯାଇଥିଲା । ଅହିରାଜ ପେଟରେ ମାଡ଼ ହୋଇଥିବା ସ୍ପଷ୍ଟ ହୋଇଥିଲା । ବାଲୁଗାଁରେ ଅହିରାଜର ଏକ୍ସରେ କରିବା ସମ୍ଭବ ନ ହେବାରୁ ଓୟୁଏଟି ଭେଟେରିନାରୀ କଲେଜକୁ ସାପକୁ ଆଣିଥିଲେ ଶୁଭେନ୍ଦୁ ।
ଓୟୁଏଟି ଭେଟେନାରୀ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ସାପର ଏକ୍ସରେ କରିଥିଲେ । ଅହିରାଜର 4ଟି ପିଞ୍ଜରା ହାଡ଼ ଭାଙ୍ଗିଥିବା ସ୍ପଷ୍ଟ ହୋଇଥିଲା । ଅହିରାଜ ସାପର ପ୍ଲାଷ୍ଟର କରିବା ପାଇଁ ରେଡିମେଡ କୌଣସି ପଦାର୍ଥ ବଜାରରେ ଉପଲବ୍ଧ ନ ଥିବାରୁ ତାକୁ ବଞ୍ଚାଇବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ପ୍ଲାଷ୍ଟର୍ କରିବା ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଡ଼ କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଦୁଇ ଦିନ ସମୟ ଦିଆଯାଇଛି । ଅହିରାଜକୁ ଆଜି ପାଇଁ କେବଳ ପେନ କିଲର ଏବଂ ଆଣ୍ଟି ବାୟୋଟିକ ଇଞ୍ଜେକସନ ଦିଆଯାଇଛି ।
ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ଅହିରାଜ ସାପର 4 ଟି ପିଞ୍ଜରା ହାଡ଼ ଭାଙ୍ଗିଥିବାରୁ ତାକୁ ଏପରି ବିପଦଜନକ ଅବସ୍ଥାରେ ଜଙ୍ଗଲରେ ଛଡା ଯାଇପାରିବନି । ଚିକିତ୍ସା ପରେ ସୁସ୍ଥ ହେବାପରେ ବାଲୁଗାଁ ଡିଏଫଓଙ୍କ ନିର୍ଦେଶ କ୍ରମେ ସାପକୁ ଜଙ୍ଗଲରେ ବା ନନ୍ଦନକାନନରେ ଛଡ଼ାଯାଇ ପାରିବ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସିଲକା ସେଲୋନୀ, ଲଳିତ ମୋହନ ପଣ୍ଡା, ଆଶିଷ ବେହେରା, ଦୁର୍ଗମାଧବ ମହାପାତ୍ର ଅହିରାଜ ସାପ ଚିକିତ୍ସାରେ ଡାକ୍ତର ସିଦ୍ଧାର୍ଥଙ୍କୁ ସହଯୋଗ କରୁଛନ୍ତି ।
ମୃତ୍ୟୁ ସହ ସଂଗ୍ରାମ କରୁଥିବା 12 ଫୁଟ ଲମ୍ବର ଏଇ ଅଣ୍ଡିରା ଅହିରାଜ ଏକ ପ୍ରାପ୍ତ ବୟସ୍କ ସାପ । ଏହି ସାପର ବିଷ ନ୍ୟୁରୋ ଟକ୍ସିକ୍ । ଅହିରାଜ ସାପର ଭେନମ ଗ୍ଲାଣ୍ଡ ବଡ଼ ହୋଇଥିବାରୁ ପ୍ରାୟ 5 ମିଲିଲିଟର ପର୍ଯ୍ୟନ୍ତ ବିଷ ଥାଏ । ଅହିରାଜ ସାପ କାମୁଡ଼ିଲେ ଭାରତରେ ଏଥିପାଇଁ ଆଣ୍ଟି ଭେନମ ବଜାରରେ ଉପଲବ୍ଧ ନାହିଁ । ଅର୍ଥାତ ଯଦି କାହାକୁ ଅହିରାଜ ସାପ କାମୁଡେ ଏବଂ ତା ଶରୀରକୁ ବିଷ ଯାଇଥିବ ତେବେ ଆଣ୍ଟି ଭେନମ ଅଭାବରୁ ସିଏ ବଞ୍ଚିବା ଅସମ୍ଭବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ