ଭୁବନେଶ୍ବର:ଅନଲାଇନ ଆପ ଜରିଆରେ ଋଣ ଆବେଦନ କରିଛନ୍ତି କି ? ମୋବାଇଲରେ ସେଭଳି ଆପ୍ ଡାଉନଲୋଡ୍ କରି ଋଣ ବାବାଦରେ ଚିନ୍ତା କରୁଛନ୍ତି କି ? ତେବେ ସତର୍କ ହୋଇଯାଆନ୍ତୁ । ତେଲେଙ୍ଗାନା, ହାଇଦ୍ରାବାଦ, ଇନ୍ଦୋର ସମେତ ଅନେକ ପ୍ରମୁଖ ସହରରେ ଏଭଳି ଆପର ପ୍ରଭାବ ଦେଖିବାକୁ ମିଳୁଛି ।
ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ଋଣ ଦେଉଛନ୍ତି । ଆଉ ପରବର୍ତ୍ତୀ ସମୟରେ ମୋଟା ଅଙ୍କର ସୁଧ ଅସୁଲ କରୁଛନ୍ତି । ଯାହାକି ପରିଶୋଧ କରିବା କଷ୍ଟକର ବ୍ୟାପାର ହୋଇପଡୁଛି । ବଡ଼ କଥା ହେଉଛି, ଏହି ଆପ ମାଧ୍ୟମରେ ସମ୍ପୃକ୍ତ ସଂସ୍ଥା ବ୍ୟକ୍ତିଙ୍କ ମୋବାଇଲରୁ କଣ୍ଟାକ୍ଟ ନମ୍ବର, ଫଟୋ ସମେତ ଅନ୍ୟ ତଥ୍ୟ ହାସଲ କରି ନେଉଛନ୍ତି ।
ଯେତେବେଳେ ଋଣ ପରିଶୋଧ କରିପାରୁ ନାହାଁନ୍ତି, ସେମାନେ ବ୍ଲାକମେଲ କରୁଛନ୍ତି। ଫଳର ନିରାଶ ହୋଇ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛି । ଏହି ଲୋନ କାରବାର ପଛରେ ବଡ଼ ରାକେଟ କାମ କରୁଛି । ରାକେଟର ୧୯ ଜଣଙ୍କୁ ହାଇଦ୍ରାବାଦ ପୋଲିସ ଗୁରଗାଓଁ ଏବଂ ହାଇଦ୍ରାବାଦରୁ ଗିରଫ କରିଛି ।
ଲୋନ ଆପରୁ ଋଣ ନେଇଥିବା ୩ ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିସାରିଥିବା ପୋଲିସ କହିଛି । ଲୋନ୍ ଆପ ଗୁଡ଼ିକ ପ୍ରଥମେ ଲୋନ୍ ଦେଉଛନ୍ତି, ପରେ ଠିକ୍ ସମୟରେ ଋଣ ଶୁଝି ନପାରିଲେ, ସେହି ସଂସ୍ଥାଗୁଡ଼ିକ ଅନ୍ଲାଇନ ପ୍ଲାଟ୍ଫର୍ମରେ ଋଣ ନେଇଥିବା ବ୍ୟକ୍ତିଙ୍କର ଏପରି ଚରିତ୍ର ସଂହାର କରୁଛନ୍ତି ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।