ଭୁବନେଶ୍ବର:ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି ଭୁବନେଶ୍ବର ଏମ୍ସ । ପ୍ରଥମ କିଡନୀ ପ୍ରତିରୋପଣରେ ସଫଳ ହୋଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିଛି ଏମ୍ସ । ବାପା ଓ ପୁଅଙ୍କ ମଧ୍ୟରେ ଏହି କିଡନୀ ପ୍ରତିରୋପଣ ହୋଇଥିଲା । ପୁଅକୁ କିଡନୀ ଦେଇଛନ୍ତି ବାପା । ପ୍ରତିରୋପଣ ପରେ ଉଭୟ ବାପା ପୁଅ ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ମିଳିଛି ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନୀ ପ୍ରତିରୋପଣ ସମ୍ପନ୍ନ ହୋଇଛି । ଗତମାସ ୩୦ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍ନୀ ପ୍ରତିରୋପଣ ସଫଳ ହୋଇଛି । ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା । ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍ନୀ ଦାନ କରିଥିଲେ । ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି । କିଡ୍ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଥିଲା ।
ସେହିପରି କିଡ୍ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍ଚାର୍ଜ କରାଯାଇଛି। ଡିସ୍ଚାର୍ଜ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ କହିଛନ୍ତି । ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି ।
ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ପ୍ରଥମ ସଫଳ କିଡ୍ନୀ ପ୍ରତିରୋପଣରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଥିରେ ସଂମ୍ପୃକ୍ତ ଡାକ୍ତରୀ ଦଳ ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏନେଇ ଡ. ବିଶ୍ବାସ କହିଛନ୍ତି ଯେ ମଧୁମେହ (ଡାଇବେଟିସ୍), ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (ସିକେଡି) ସଂଖ୍ୟା ବୃଦ୍ଧି ପାଉଛି । ଏଣୁ ପୂର୍ବ ଭାରତରେ ବୃକକ୍ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧିପାଉଛି । ଘରୋଇ ଡାକ୍ତରଖାନା ଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ । ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହିପାରିବେ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି ।