ଭୁବନେଶ୍ବର: ୨୦୨୫ ସୁଦ୍ଧା ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ । ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇ ଥିବାବେଳେ ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି । ସମାଧାନ ପାଇଁ ପ୍ରୟାସ ଜାରି ରହିଥିବା ବିଧାନସଭା ୭ ନମ୍ବର ଷ୍ଟାଣ୍ଡିଂ କମିଟି ବୈଠକରୁ ସୂଚନା ।
୨୦୨୫ ସୁଦ୍ଧା ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଏନେଇ ପ୍ରତିକ୍ରିୟା ରଖି ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ବୈଠକ ପରେ ପରିବହନ ବିଭାଗର ଅତିରିକ୍ତ ସଚିବ ଏସ.କେ ମିଶ୍ର କହିଛନ୍ତି ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ଶତ ପ୍ରତିଶତ ଶେଷ ହୋଇଛି । ପରିବେଶ କ୍ଲିଅରାନ୍ସ ନେଇ କିଛି ସମସ୍ୟା ରହିଛି । ଏଥିପାଇଁ ରେଳ ବିଭାଗ ପକ୍ଷରୁ ଆପ୍ଲିକେସନ ଫାଇଲ କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଦୂରତା ପ୍ରାୟ ୨୮୯ କିଲୋମିଟର ରହିଛି ।
ଏହା ମଧ୍ୟ ପଢନ୍ତୁ:-ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରସଙ୍ଗ: ୨୮ ବର୍ଷ ହେଲାଣି ସରୁନି କାମ
ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ପଟୁ ୭୭ କିଲୋମିଟର ଓ ବଲାଙ୍ଗୀର ପଟୁ ପ୍ରାୟ ୧୪.୯ କିଲୋମିଟର ରେଳ ଲାଇନ କାର୍ଯ୍ୟ କମିଶନ ହୋଇସାରିଛି । ବାକି ୧୦୪ କିଲୋମିଟର କାର୍ଯ୍ୟ ଆଗୁଆ ରହିଛି । ଏହା ଛଡା ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ଜାରିରହିଛି । ଲେଭଲିଂ, ପୋଲ ନିର୍ମାଣ କାର୍ଯ୍ୟ ଠିକ ଠାକ ଚାଲିଛି । ପୂର୍ଣ୍ଣ କାର୍ଯ୍ୟ ୨୦୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ମିଶ୍ର କହିଛନ୍ତି ।
ସେପଟେ ୭ ନମ୍ବର ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶଶୀଭୂଷଣ ବେହେରା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୦୦ କିଲୋମିଟର କମିଶନ ହୋଇନାହିଁ । ଯାହା କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଦାଇତ୍ୱ ରହିବା କଥା । ସେଇଟା ରାଜ୍ୟ ସରକାର ବହନ କରୁଛନ୍ତି । ରାଜ୍ୟ ସରକାର ମାଗଣାରେ ଜମି ଦେବାକୁ ରାଜି ହୋଇଛନ୍ତି, ଅନେକ ଜଙ୍ଗଲ ଓ ଗଛ ରହିଛି । ଏହା ମଧ୍ୟ ଦେଇ ରେଳ ଲାଇନ ଯିବ । ଆଗକୁ କାର୍ଯ୍ୟ ତ୍ୱରାନ୍ୱିତ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ