ଓଡିଶା

odisha

By

Published : Oct 17, 2019, 2:55 PM IST

ETV Bharat / city

ଆସନ୍ତା 19ରେ ପ୍ରଦର୍ଶନୀ ପଡିଆରେ ଖଦି ବସ୍ତ୍ରର ସମ୍ଭାର

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଭୁବନେଶ୍ବରରେ ଆୟୋଜନ କରାଯାଉଛି ।

ପ୍ରଦର୍ଶନୀ ପଡ଼ିଆରେ ବସିବ ଖଦି ବଜାର

ଭୁବନେଶ୍ବର: ସାରାଦେଶରେ ଏବେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଆୟୋଜନ କରାଯାଉଛି । ଯାହାକି ଆସନ୍ତା 19 ତାରିଖରେ ଉଦଘାଟନ ହେବାକୁ ଥିବାବେଳେ ଏହା ଅକ୍ଟୋବର 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ପ୍ରଦର୍ଶନୀ ପଡ଼ିଆରେ ବସିବ ଖଦି ବଜାର


ଗୁରୁବାର ଏନେଇ ସ୍ଥାନୀୟ ଖଦି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଥିରେ 18ଟି ରାଜ୍ୟ ଭାଗ ନେଉଛନ୍ତି । ଏହି ପ୍ରଦର୍ଶନୀରେ ସମୁଦାୟ 60ଟି ଷ୍ଟଲରେ ଖଦି ଓ ଗ୍ରାମଦ୍ୟୋଗ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରୟ କରାଯିବ। ଏଠାରେ କାର୍ପସ, ସିଲକ୍ ଓ ମସଲିନ ଖଦିରେ ପ୍ରସ୍ତୁତ ଶାଢ଼ୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକର ପ୍ରଦର୍ଶନ ହେବ । ସେହିପରି ବେତ, ବାଉଁଶ ନିର୍ମିତ ଆସବାବପତ୍ର ତଥା ଘରକରଣା ସାମଗ୍ରୀ, ସବାଇଘାସ ନିର୍ମିତ ମଶିଣା, ଝୋଟ ଓ ଚମଡ଼ାରୁ ତିଆରି ସାମଗ୍ରୀ, ଖାଣ୍ଟି ଘଣାପେଡା ସୋରିଷ ତେଲ, ବିଶୁଦ୍ଧ ମହୁ, କନ୍ଧମାଳ ହଳଦୀ, ଝୁଣା ମସଲା ଆଦି ମିଳିବ ବୋଲି ସେ କହିଛନ୍ତି ।


ଏହା ସହିତ ପ୍ରତି ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ତେଣୁ ଏହି ମେଳାକୁ ଆସି ବୁଣାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଖଦି ବସ୍ତ୍ରର ବ୍ୟବହାର କରି ଏହାର ପ୍ରସାର ଦିଗରେ ସହାୟତା କରିବାକୁ ସେ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବୋର୍ଡର ସଚିବ ସରୋଜ କୁମାର ପଟେଲ ଓ ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details