ଓଡିଶା

odisha

ବିଧାନସଭାରେ ପୁଣି କାଶୀପୁର ଝାଡ଼ାବାନ୍ତି ତାତି: BJPର ଅଭିଯୋଗ ଅସଲ ମୃତ୍ୟୁ ସଂଖ୍ୟା 14

By

Published : Jul 26, 2022, 12:40 PM IST

ଗୃହରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ପ୍ରସଙ୍ଗ । ତୁରନ୍ତ ସର୍ବଦଳୀୟ କମିଟି ଗଠନ କରି ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ଦାବି କଲେ ବିରୋଧୀ । ଅଧିକ ପଢନ୍ତୁ

ବିଧାନସଭାରେ ପୁଣି କାଶୀପୁରରେ ଝାଡ଼ାବାନ୍ତି ତାତି: ସର୍ବଦଳୀୟ କମିଟି ଗସ୍ତ ନେଇ ଦାବି
ବିଧାନସଭାରେ ପୁଣି କାଶୀପୁରରେ ଝାଡ଼ାବାନ୍ତି ତାତି: ସର୍ବଦଳୀୟ କମିଟି ଗସ୍ତ ନେଇ ଦାବି

ଭୁବନେଶ୍ବର:ବିଧାନସଭାର ଶୂନ୍ୟକାଳରେ ପୁଣିଥରେ ଉଠିଲା କାଶୀପୁର ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ମୃତ୍ୟୁସଂଖ୍ୟାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି ମୋହନ । ଏହାସହିତ ତୁରନ୍ତ ସର୍ବଦଳୀୟ କମିଟି ଗଠନ କରି ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି । ମୋହନ ମାଝୀ କହିଛନ୍ତି ଯେ, ''ରାୟଗଡାରେ ଝାଡାବାନ୍ତିରେ ସର୍ବମୋଟ 14 ଜଣ ପ୍ରାଣ ହରାଇଛନ୍ତି । ହେଲେ ସରକାର ମୃତ୍ୟୁସଂଖ୍ୟା 9 ବୋଲି କହୁଛନ୍ତି । ଅନ୍ୟ 5 ଜଣଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଉଛନ୍ତି ।''

ତେବେ ଏହି 5 ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । କାଶୀପୁରରୁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ମୋହନ ଗୃହରେ କହିଛନ୍ତି । ଉତ୍କଳ ଆଲୁମିନା ସେଠାରେ ୱାଟର ଟ୍ରିଟମେଣ୍ଟ ନ କରି ଦୂଷିତ ପାଣି ଛାଡୁଥିବାରୁ ଏପରି ଝାଡ଼ାବାନ୍ତି ବ୍ୟାପିଛି । ଏନେଇ ବିଧାନସଭା ପକ୍ଷରୁ ଏକ ସର୍ବଦଳୀୟ ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଉ ବୋଲି ବିରୋଧି ଦାବି କରିଛନ୍ତି । ରାଜ୍ୟ ସରକାର ଯେଉଁ ବିକାଶ କଥା କହୁଛନ୍ତି, ସେଭଳି ବିକାଶ ସେଠି ହୋଇନାହିଁ ବୋଲି ମୋହନ ମାଝୀ କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି । ସେ କହିଛନ୍ତି ଯେ, ''କାଶୀପୁରରେ 14 ଏବଂ ସୋମବାର ଦଶମନ୍ତପୁରରେ 3 ଜଣଙ୍କ ମୃତ୍ୟୁ ଘଟିଛି । ପାଣିକୁ ଟ୍ରିଟମେଣ୍ଟ କରି ଛଡ଼ା ଯାଉନାହିଁ । ଝାଡ଼ାବାନ୍ତି ଦ୍ବାରା ଅବିଭକ୍ତ କୋରାପୁଟରେ ମୋଟ 17 ଜଣ ପ୍ରାଣ ହରାଇଛନ୍ତି । ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡୁଛି । ଯେଉଁ ଏଗ୍ରିମେଣ୍ଟ କରିଥିଲା ତାହାକୁ ପାଳନ କରୁନାହିଁ ।''

ଏହାର ତଦନ୍ତ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ କମିଟି ଗଠନ ଦାବି କରିଛନ୍ତି ତାରା । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ କହିଛନ୍ତି । ଏହି ଘଟଣାକୁ ନେଇ ଉଭୟ ଦଳର ବିଧାୟକ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ କରିଛନ୍ତି । ବାଚସ୍ପତି ହସ୍ତକ୍ଷେପ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details