ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷଦିନ । ଏହି ଦିନକୁ ଅନାଇ ବସିଥାନ୍ତି ସଭିଏଁ । ପାହାନ୍ତାରୁ ନିତ୍ୟକର୍ମ ସାରି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାନ୍ତି ସମସ୍ତେ । ହେଲେ ଏଥର ବୋଇତ ବନ୍ଦାଣ ଉତ୍ସବରେ ପଡିଛି ମହାମାରୀ କୋରୋନାର ନଜର । କୋରୋନାକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି ସରକାର ।
ଭୁବନେଶ୍ବର ପ୍ରସିଦ୍ଧ ବିନ୍ଦୁ ସାଗରରେ 144 ଧାରା ଲଗାଇଛି ପ୍ରଶାସନ । ଫଳରେ ବନ୍ଦୁ ସାଗରରେ ଆଜି ଶୁଣିବାକୁ ମିଳିବନି ଆ-କା-ମା-ବୈ । ଭାସିବନି ବୋଇତ । ପରମ୍ପରା ରକ୍ଷା କରିବାକୁ କାଁ ଭାଁ କେଉଁଠି ଡଙ୍ଗା ଭସାଣ ପର୍ବ ପାଳିତ ହୋଇପାରେ । ଚଳିତ ବର୍ଷ ମହାମାରୀ କୋରୋନା ପାଇଁ ପର୍ବପର୍ବାଣୀ ପାଳନ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର । ପ୍ରତିବର୍ଷ ବିଭିନ୍ନ ନଦୀ ଘାଟ ଜଳାଶୟରେ ଏକତ୍ରିତ ହୋଇ ହଜାର ହଜାର ଲୋକ ଡଙ୍ଗା ଭସାନ୍ତି । ସଂକ୍ରମଣ ବଢିବା ଆଶଙ୍କା କରି ସରକାର ଅନ୍ୟ ପର୍ବପର୍ବାଣୀ ପରି ଡଙ୍ଗା ଭସାଣ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି । ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ପରମ୍ପରାରେ ରୋକ୍ ଲାଗିଥିବାରୁ ସେପଟେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।