ଭୁବନେଶ୍ବର: ‘ଆ କା ମା ବୈ, ପାନ ଗୁଆ ଥୋଇ... ପାନ ଗୁଆ ତୋର, ମାସିକ ଧର୍ମ ମୋର’ । ଏହି ଗୀତ ଗାଇ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳୁଛନ୍ତି ରାଜ୍ୟବାସୀ । ତେବେ ଓଡିଆଙ୍କ ଧର୍ମ ମାସ ରୂପେ ପରିଚିତ କାର୍ତ୍ତିକ ମାସର କ’ଣ ରହିଛି ମହାତ୍ମା ? କାର୍ତ୍ତିକ ପୂର୍ଣ୍ଣିମା ଦିନଠୁ କାହିଁକି ଜମେ ଓଡିଶା ପ୍ରସିଦ୍ଧ କଟକ ବାଲିଯାତ୍ରା ଆସନ୍ତୁ ଜାଣିବା:-
ପୁରାଣରେ ରାସପୂର୍ଣ୍ଣିମା:-
କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଦିନ ଗୋପନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ରାସେଶ୍ବରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ଏହି ଦିନ ରାସ ରଚନା କରିଥିଲେ । ଓଡିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହି ପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ, କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ଏହି ମାସରେ ଆବାଳ-ବୃଦ୍ଧ-ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ କରି ଦେବ ଦର୍ଶନ କରିଥାନ୍ତି । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚୁକ ପର୍ବ ବା ମହାପଞ୍ଚୁକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । ଏପରିକି କୁହାଯାଏ ଯେ, ସେଇ ପାଞ୍ଚଦିନ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ଅନ୍ୟପକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଯୀଉଙ୍କର ପାଞ୍ଚଦିନ ଯାକ ସ୍ବତନ୍ତ୍ର ରୀତିନୀତିରେ ପୂଜା କରାଯାଏ ଓ ପାଞ୍ଚଦିନ ଯାକ ଶ୍ରୀଯୀଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦିଅନ୍ତି ।
ଅନ୍ୟପକ୍ଷେ ଏହି ମାସର ବିଶେଷତା ହେଉଛି ଆକାଶଦୀପ ପ୍ରତିଷ୍ଠା । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଓ ସେମାନଙ୍କ ଅନ୍ଧାକାରମୟ ଦୁର୍ଗମ ପଥକୁ ଆଲୋକିତ କରିବା ପାଇଁ ଉଚ୍ଚ ସ୍ଥାନରେ ଏକ ପ୍ରଦୀପ ପ୍ରଜ୍ଜଳନ କରାଯାଏ । ଓଡିଶାର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଇଥାଏ । ପୂର୍ଣ୍ଣିଆ ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ । କାର୍ତ୍ତିକ ମାସର ଶେଷ ଦିନକୁ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଭାବରେ ପାଳନ କରିଥାନ୍ତି । ଲୋକଭାଷାରେ ଏହାକୁ ‘ଡଙ୍ଗାଭସାଣ’ କୁହାଯାଏ ।
ସେ ଦିନ ପ୍ରତ୍ୟୁଷରୁ ଆବାଳ-ବୃଦ୍ଧ-ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ପଟୁଆ ଓ ସୋଲରେ ନିର୍ମିତ ଛୋଟ ଛୋଟ ଡଙ୍ଗା ଭସାଇଥାନ୍ତି । ଡଙ୍ଗାରେ ପାନ ଗୁଆ ଥୋଇ ଦୀପ ଜାଳି ଉତ୍ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି, ‘ ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସିକ ଧର୍ମ ମୋର’ । ଏହି ଦିନ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ, କାର୍ତ୍ତିକ, ମାଘ ଓ ବୈଶାଖ- ଏହି ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସ ମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଓ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ, ‘ ଆ କା ମା ବୈ’ ।