ଭୁବନେଶ୍ବର:ଗୋଟିଏ ଦିନ ପରେ ବଦଳିଲା ନିଷ୍ପତ୍ତି । ସ୍କୁଲ ଯାଇପାରିବେ ଗଣମାଧ୍ୟମ ପ୍ରତିନିଧି । କଙ୍କଡାହାଡ଼ ବିଇଓଙ୍କ ପକ୍ଷରୁ ଚିଠି ପ୍ରତ୍ୟାହାର ପରେ ନିଆଯାଇଛି ଏହି ନିଷ୍ପତ୍ତି । ସାମ୍ବାଦିକମାନଙ୍କୁ ସ୍କୁଲକୁ ବାରଣ ନିଷ୍ପତ୍ତି ଆସିବା ପରେ ଏହାକୁ ଅନେକ ବିରୋଧ କରିଥିଲେ ।
ସାମ୍ବାଦିକମାନେ ସ୍କୁଲକୁ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ନୁହେଁ । କ୍ଲାସ ସରିବା ପରେ ସେମାନେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ । ଏଥିପାଇଁ ପରିଚାଳନା କମିଟି ସହ ଆଲୋଚନା କରିବାକୁ ପଡ଼ିବ । ସୂଚନା ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ୍-କମ-କଲେକ୍ଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ଢେଙ୍କାନାଳ ଜିଲ୍ଲାରେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗରେ କଙ୍କଡାହାଡ ବିଦ୍ୟାଳୟରେ ଗଣମାଧ୍ୟମକୁ ଅନଧିକୃତ ପ୍ରବେଶକୁ ଦର୍ଶାଇ ଗତକାଲି ଚିଠି ହୋଇଥିଲା । ତେବେ ଏହା ପୂର୍ବରୁ ଜାରି କରାଯାଇଥିବା ଚିଠିକୁ ପ୍ରତ୍ୟାହାର କରାଯାଇଛି ।
ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଅନୁମତି ଆବଶ୍ୟକ । ନଚେତ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଥାନାରେ FIR ଦେବାକୁ ଚିଠି ମାଧ୍ୟମରେ କଡା ନିର୍ଦ୍ଦେଶ ଦେଇଥିଲେ ଢେଙ୍କାନାଳ ଜିଲ୍ଲା କନକଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ । ଆଉ ଏବେ ନିଜ ଛେପ ନିଜେ ଢୋକିଛି ଶିକ୍ଷା ବିଭାଗ । ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଙ୍କଡାହାଡ଼ ବିଇଓ ସ୍କୁଲ ମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମାକୁ ନିଜେ ପୁଣି ପ୍ରତ୍ୟାହାର କରିଥିବା ଜଣାପଡିଛି ।