ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ପ୍ରତି ରହିଛି ପ୍ରକୃତିର ଅନେକ ଅବଦାନ । କନ୍ଧମାଳ ଜିଲ୍ଲାରେ ରହିଛି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି । ଖାଲି ଦାରିଙ୍ଗବାଡି କାହିଁକି ଜିଲ୍ଲାରେ ଖୁନ୍ଦି ହୋଇ ରହିଛି ଅନେକ ଅପରୂପା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ଯାହାକୁ ବିକଶିତ କରିବା ଲାଗି ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖାସ ଏଇଥିପାଇଁ ତ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଇକୋ- ରିଟ୍ରିଟ ଓ ଜିଲ୍ଲା ସଂଗ୍ରହାଳୟ ପାଇଁ ତୁରନ୍ତ ସ୍ଥାନ ଚିହ୍ନଟ କରିବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅସିତ ।
ରାଜ୍ୟ ସରକାର ଏବେ ପର୍ଯ୍ୟଟନ ଓ ପର୍ଯ୍ୟଟନସ୍ଥଳୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହାକୁ ବିକଶିତ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ପଦକ୍ଷେପ ନେଉଛନ୍ତି । ପର୍ଯ୍ୟଟନର ବିକାଶ, ସ୍ଥାନୀୟ ନିଯୁକ୍ତି ସହ ରାଜସ୍ୱକୁ ଯୋଡୁଛନ୍ତି ସରକାର । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାପାଳ, ଏସପି ଓ ବରିଷ୍ଠ ଅଧିକାରୀଙ୍କ ସହ ପର୍ଯ୍ୟଟନ ବିକାଶ ଓ ସମ୍ଭାବନା ବାବଦରେ ଆଲୋଚନା କରିଛନ୍ତି ଅସିତ । ଅସିତ କହିଛନ୍ତି, “କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ ଆବାସସ୍ଥଳୀରେ ପରିପୂର୍ଣ୍ଣ । ଏହାର ସୁଉଚ୍ଚ ପାହାଡ଼ ଓ ପ୍ରାକୃତିକ ପରିବେଶର କଳନା ନାହିଁ । ଗତବର୍ଷ ଦାରିଙ୍ଗବାଡିରେ ଇକୋ- ରିଟ୍ରିଟ କ୍ୟାମ୍ପ ଆରମ୍ଭ ହୋଇଥିଲା ।
ଉଭୟ ପର୍ଯ୍ୟଟନ ଓ ବ୍ୟବସାୟୀକ ଦୃଷ୍ଟିକୋଣରୁ ସଫଳ ହୋଇଛି । ଚଳିତବର୍ଷ ଜିଲ୍ଲାରେ ଆକର୍ଷଣୀୟ ସ୍ଥାନଗୁଡିକ ଚିହ୍ନଟ କରି ଅଧିକ ଇକୋ- ରିଟ୍ରିଟ କ୍ୟାମ୍ପ ବ୍ୟବସ୍ଥା କରିବା ଲାଗି ଯୋଜନା କରାଯାଇଛି । ଆସନ୍ତା ପାଞ୍ଚ ବର୍ଷ ପାଇଁ ଇକୋ- ରିଟ୍ରିଟ କ୍ୟାମ୍ପ ବ୍ୟବସ୍ଥା କରିବା ଲାଗି ଯୋଜନା କରାଯାଇଛି । ଯାହା ଦ୍ୱାରା ପର୍ଯ୍ୟଟନ, ପର୍ଯ୍ୟଟକ, ଟୁର୍ ଅପରେଟର ଏବଂ ପର୍ଯ୍ୟଟନ ସହ ଜଡିତ ବ୍ୟବସାୟୀମାନେ ସେମାନଙ୍କ କାର୍ଯ୍ୟକଳାପକୁ ବିସ୍ତାର କରିବାକୁ ସୁଯୋଗ ପାଇବେ ” । ଅସିତ ଆହୁରି କହିଛନ୍ତି ଯେ, କୁଟୁରୀ, ପୁଟୁଦି ଏବଂ କାଟ୍ରାମାଲ ଭଳି ଜଳପ୍ରପାତ ସହିତ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍ଥାନଗୁଡିକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ MGNREGS ଏବଂ ଅନ୍ୟାନ୍ୟ ଯୋଜନାଗୁଡିକର ପାଣ୍ଠିର ସମ୍ମିଶ୍ରଣ ସହିତ ଏହି ରାସ୍ତାଗୁଡିକ ବିକଶିତ କରାଯିବ ।