କଳାହାଣ୍ଡି: ଗରିବ ଗଳିରୁ ଦିଲ୍ଲୀ ଜେଏନୟୁ ଦଖଲ ଲକ୍ଷ୍ୟ । ଦିନେ ଏନଆରଜିଏସରେ ଶ୍ରମିକ ଭାବେ କାମ କରିଥିବା ଓଡିଆ ପୁଅ ଏବେ ଦିଲ୍ଲୀ ଜେଏନୟୁରେ ଛାତ୍ର ସଂସଦ ନିର୍ବାଚନ ଲଢୁଛି । ସଭାପତି ପ୍ରାର୍ଥୀ ଭାବେ ସେ ଏବେ ଯେତେ ଚର୍ଚ୍ଚିତ ତା'ଠାରୁ ଅଧିକ ଚର୍ଚ୍ଚାରେ ନିଜ ଜୀବନରେ ସଂଗ୍ରାମକୁ ନେଇ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗାଁର ଜିତେନ୍ଦ୍ର ସୁନାଙ୍କ କଥା ।
ପ୍ରାଥମିକ ଶିକ୍ଷା ଆରମ୍ଭରୁ ହିଁ ଦାରିଦ୍ର୍ୟ କବଳରେ ପେଷି ହୋଇଥିଲା ଜିତୁଙ୍କ ଜୀବନ ସଂଗ୍ରାମ । କାରଣ ବାପା ଲକ୍ଷ୍ମଣ ସୁନା ପେସାରେ ଜଣେ କୃଷି ଶ୍ରମିକ । ଆଉ ପରିବାର କହିଲେ ବାପା, ମା, ତିନି ଭଉଣୀ ଓ ଚାରି ଭାଇ । ଏମିତି ସ୍ଥିତିରେ ବାପା ଲକ୍ଷ୍ମଣଙ୍କ ରୋଜଗାର ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ।
ଆଉ ବାପାଙ୍କ ଦାୟିତ୍ବଭାର କମ କରିବାକୁ ଜିତେନ୍ଦ୍ରଙ୍କ ମା ପରିବା ବିକୁଥିଲେ । ହେଲେ ଦଇବ ତାହା ମଧ୍ୟ ଛଡାଇ ନେଇଥିଲା । ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ତାଙ୍କ ମା'ଙ୍କ ବିୟୋଗ ହୋଇଥିଲା । ପରିବାର ବୋଝ ମୁଣ୍ଡେଇବାକୁ ସେ ସ୍କୁଲ ଯିବା ସହ ଗାଁରେ କୃଷି ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ହେଲେ ପାଠ ପଢିବାକୁ ମନରେ ଥିଲା ଅନେକ ଦୁର୍ବଳତା ।