ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଶାଶୂ ଘର ଆଗରେ ଧାରଣା(Bride Dharana In Berhampur)ରେ ବସିଥିବା ଯୁବତୀ ତପସ୍ୱିନୀଙ୍କ ସପକ୍ଷରେ ବାହାରିଲା ବିଭିନ୍ନ ସଂଗଠନ । ଗତକାଲି ଯୁବତୀଙ୍କୁ ମହିଳା ସଂଗଠନ ଭେଟିବା ସହ ତାଙ୍କୁ ତୁରନ୍ତ ନ୍ୟାୟ ଦାବିରେ ଜାତୀୟ ମାନବ ଅଧିକାର କମିଶନ(NHRC)ଙ୍କ ଦ୍ଵାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ।
ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବ୍ରହ୍ମନଗରର ଡାକ୍ତର ସୁମିତ ସାହୁ ତପସ୍ବିନୀ ଦାଶ ନାମକ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ତପସ୍ବିନୀ ମାଆ ହେବାର ଜାଣିବାକୁ ପାଇବା ପରେ ସୁମିତ ତାଙ୍କୁ ୨୦୨୦ରେ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରି ଘରକୁ ନେଇଥିଲେ । କିନ୍ତୁ ସେଠାରେ କିଛିଦିନ ପରେ ଶାଶୁଘର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ତପସ୍ବିନୀ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ସୁମିତଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଗିରଫ କରି ପରବର୍ତ୍ତୀ ସମୟରେ ଜାମିନ ଦେଇଥିଲା । ତେବେ ସୁମିତଙ୍କ ଶାସକ ଦଳର ସ୍ଥାନୀୟ ବିଧାୟକଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ବ୍ରହ୍ମପୁର ଏସପି ବିଧାୟକଙ୍କ ଚାପରେ ଏକତରଫା ବିଚାର କରିଥିବା ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ ଅଭିଯୋଗ କରିଛନ୍ତି ।