ଭୁବନେଶ୍ବର: ଜଗନ୍ନାଥଙ୍କ ଜମିରେ ବେଆଇନ ଖଣି ଖନନ ମାମଲା। ଖଣି ମାଫିଆ ଲିଙ୍କରେ ସରକାରୀ କର୍ମଚାରୀ। ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଖଣି ମାମଲାରେ ଗିରଫ ହେଲେ ଜୁନିୟର କ୍ଲର୍କ ଜୟଦେବ ସାହୁ । ଖୋର୍ଦ୍ଧା ପ୍ଲାନିଂ ବୋର୍ଡର ଜୁନିୟର କ୍ଲର୍କ ଜୟଦେବ ସାହୁଙ୍କ ଇସାରାରେ ଚାଲିଥିଲା ବେଆଇନ ପଥର ଖନନ। ଯାହାର ସୁରାକ ପାଇ ଖଣ୍ଡଗିରି ଜାଗମରା ଘରୁ ତାଙ୍କୁ ପ୍ଲଟ ନମ୍ବର ୭୪୦ରୁ ଗିରଫ କରିଛି ଏସଟିଏଫ ଟିମ ।
ତେବେ ଶୁକ୍ରବାର ପିପିଲିର ଖଣି ମାଫିଆ ଶେଖ ମହମ୍ମଦ ଅଖତର ଗିରଫ ପରେ ଖୋଲିଥିଲା ସରକାରୀ ଲିଙ୍କ । ଯେ କି ସରକାରଙ୍କ ନିର୍ଦ୍ଦେଶନାମା କହି ନୂତନ ଷ୍ଟ୍ରକଚର ନିର୍ମାଣ ଆଳରେ ଚଲାଇଥିଲେ ପଥର ଖଣି ଖନନ । ଏଥିପାଇଁ ସରକାରୀସ୍ତରରେ କୌଣସି ନିର୍ଦ୍ଦେଶନାମା କି କୌଣସି ଟେଣ୍ଡର ନ ହୋଇଥିଲେ ବି କ୍ଲର୍କ ବାବୁ ଜଣକ ଦେଉଥିଲେ ବେଆଇନ ପଥର ଖଣି ଖନନ ପାଇଁ ଅନୁମତି ।