ଭୁବନେଶ୍ବର: ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗଦାନ କରିଛନ୍ତି । ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି । ଏହା ପୂର୍ବରୁ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ବଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ମାନଙ୍କରେ ନିର୍ଦ୍ଦେଶକ ଭାବେ ୨୦୧୬ ମସିହା ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଡେପୁଟେସନରେ ଥାଇ କାର୍ଯ୍ୟ ତୁଲାଉଥିଲେ ।
ସେ ବିଭିନ୍ନ ରେଳପଥରେ ଭିନ୍ନ ଭିନ୍ନ ପଦପଦବୀରେ ଥାଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହିତ ସୁରକ୍ଷା ସମ୍ବନ୍ଧୀୟ ଅପରାଧ ଅନ୍ବେଷଣ କ୍ଷେତ୍ରରେ ପ୍ରଗାଢ଼ ଦକ୍ଷତା ରଖିଛନ୍ତି । ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ରେଳବାଇ ବୋର୍ଡରେ ରେଳ ସୁରକ୍ଷା ବଳ ନିର୍ଦ୍ଦେଶକ, ଉତ୍ତର ରେଳପଥର ଦିଲ୍ଲୀ ଏବଂ ପୂର୍ବ ରେଳପଥର ହାଓଡ଼ା ରେଳ ମଣ୍ଡଳ ମାନଙ୍କରେ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ମଧ୍ୟ ପୂର୍ବତଟ ରେଳପଥରେ ଉପମୁଖ୍ୟ ସୁରକ୍ଷା ଆୟୁକ୍ତ ଭାବେ ୨୦୦୮ ରୁ ୨୦୧୧ ମସିହା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।
ସ୍ବଚ୍ଛ ଭାରତ ମିଶନ ଦଳର ଏକ ପ୍ରମୁଖ ସଦସ୍ୟ ଥିଲେ ଯାହାକି ବିଶ୍ବର ସର୍ବବୃହତ ଆଚରଣ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ଯୋଜନା, କାର୍ଯ୍ୟକାରୀ ଏବଂ ତଦାରଖ କରୁଥିଲେ । ଭାରତକୁ ମୁକ୍ତ ମଳତ୍ୟାଗ କାର୍ଯ୍ୟକ୍ରମ ସଂଚାଳନ କରିବାରେ ସହାୟକ କରିଥିଲେ । ସେ ଆନ୍ତଃ-ମନ୍ତ୍ରଣାଳୟ ସ୍ଵଚ୍ଛତା କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ । ଯାହାଦ୍ବାରା ସ୍ଵଚ୍ଛତା କାର୍ଯ୍ୟ ଯୋଜନା, ସ୍ଵଚ୍ଛତା ପଖୱାଡା, ସ୍ଵଚ୍ଚ ପ୍ରତିଷ୍ଠିତ ସ୍ଥାନ ଏବଂ ଗଙ୍ଗା ଗ୍ରାମ କାର୍ଯ୍ୟକ୍ରମ ଗୁଡିକ ଅନ୍ତର୍ଭୁକ୍ତ ଥିଲା । ଏହାବ୍ୟତୀତ, 'ଦରଜା ବନ୍ଦ', 'ସ୍ଵଚ୍ଛ ସିଂ', 'ସୋନା ଖାଡ' ପରି ପ୍ରତିଷ୍ଠିତ ସୃଜନଶୀଳତାର ଧାରଣା ଏବଂ ସୁବିଧା ସମ୍ବନ୍ଧରେ ମନ୍ତ୍ରଣା ଦେଇଥିଲେ ।