ଓଡିଶା

odisha

ETV Bharat / city

ଆଜି ପବିତ୍ର ଜନ୍ମାଷ୍ଟମୀ: ଗୋପୀଙ୍କ ପ୍ରେମର ବନ୍ଧା ନଟ୍‌ଖଟ୍‌ ନନ୍ଦଲାଲା - ଶ୍ରୀକୃଷ୍ଣ

ଅଣ୍ଟାରେ ବଂଶୀ, ଲହୁଣୀବୋଳା ମୁହଁ, ମୁଚୁକୁନ୍ଦା ହସ, ଥିବା ସେଇ କଳା କହ୍ନେଇର ଆଜି ଜନ୍ମଦିନ । ଯିଏ ତାଙ୍କୁ ଭକ୍ତିର ସହ ପ୍ରେମ କଲା, ସେ କ୍ଷଣିକ ମଧ୍ୟରେ ତାର ହୋଇଯାଏ । ସେହି ଲୀଳାମୟ ଶ୍ରୀକୃଷ୍ଣ ପାଇଁ ଆଜି ବତ୍ର ପାଳୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ଆଜି ପବିତ୍ର ଜନ୍ମାଷ୍ଟମୀ
ଆଜି ପବିତ୍ର ଜନ୍ମାଷ୍ଟମୀ

By

Published : Aug 30, 2021, 7:38 AM IST

ଭୁବନେଶ୍ବର: ଆଜି(ସୋମବାର) ହେଉଛି ପବିତ୍ର ଜନ୍ମାଷ୍ଟମୀ । ହିନ୍ଦୁ ସମ୍ପ୍ରଦାୟ ଆଜି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରୁଛନ୍ତି । ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଏ । ଆଜିର ଦିନରେ ଘରେ ଘରେ ସମସ୍ତେ ଜନ୍ମାଷ୍ଟମୀ ବ୍ରତ କରିଥାଆନ୍ତି । ଖାଲି ଓଡିଶାରେ ନୁହେଁ ପରଂବ୍ରହ୍ମ ସ୍ବରୁପ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମ ଉତ୍ସବକୁ ସାରା ଭାରତ ବର୍ଷରେ ପାଳିତ ହୁଏ ।

ଆଜି ପବିତ୍ର ଜନ୍ମାଷ୍ଟମୀ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀରେ ଦେବକୀ ଓ ଯଶୋଦାଙ୍କ କୋଳରେ ମଥୁରା କୃଷ୍ଣଙ୍କ ଜନ୍ମ ହୋଇଥିଲେ କହ୍ନେଇ। କିନ୍ତୁ ବଢିଥିଲେ ବୃନ୍ଦାବନରେ । ଏହି ଦିନ କୃଷ୍ଣ ବଢିଥିବା ବୃନ୍ଦାବନରେ ପ୍ରବଳ ଜନସମାଗମ ହୋଇଥାଏ । ସମସ୍ତଙ୍କ ଘରେ କୃଷ୍ଣଙ୍କର ସୁମଧୁର ଭଜନର ସ୍ବର ଭାସି ଆସୁଥାଏ । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠେ । କୃଷ୍ଣଙ୍କୁ ଧ୍ୟାନ କଲେ ସାଂସାରିକ ମୋହ ମାୟାଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ବାସ ରହିଛି । ନିଃସନ୍ତାନ ପିତା ଓ ମାତାଙ୍କ ପାଇଁ ଜନ୍ମାଷ୍ଟମୀ ବ୍ରତ ଖୁବ୍ ଫଳପ୍ରଦ ହୋଇଥାଏ ।

ଶ୍ରୀକୃଷ୍ଣଙ୍କ ଜନ୍ମ:

ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା, ସେଦିନ ଠାରୁ କଳି ଯୁଗ ଆରମ୍ଭ ହେଇଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ । ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । କଂସ ଦ୍ବାରା ବନ୍ଦୀ ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ କୃଷ୍ଣ ଜନ୍ମ ହୋଇଥିଲେ ।

ଆଜି ପବିତ୍ର ଜନ୍ମାଷ୍ଟମୀ

ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷା କରି ସେ ଜନ୍ମ ନେଇଛନ୍ତି । କଂସ କାଳେ ପୁଅକୁ ମାରିଦେବ ସେହି ଭୟରେ ପୁଅର ସୁରକ୍ଷା ଚିନ୍ତାରେ ଥିଲେ ବାସୁଦେବ । ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକୀ ନିଜର ବିଶାଳ ଫଣା ଢାଙ୍କି ବର୍ଷାରୁ ତାଙ୍କୁ ସୁରକ୍ଷା ଦେଲେ । ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦ ଘରେ ଛାଡିଥିଲେ ବସୁଦେବ । ସେବେଠୁ ନନ୍ଦପୁଅ ହେଲେ କଳା କହ୍ନେଇ ।

ଆଜି ପବିତ୍ର ଜନ୍ମାଷ୍ଟମୀ

ଯଶୋଦାଙ୍କ ଗର୍ଭରୁ ଜନ୍ମ ହୋଇଥିବା କନ୍ୟାରତ୍ନକୁ କୃଷ୍ଣଙ୍କ ସହିତ ବଦଳି କରାଇ ବନ୍ଦୀଶାଳକୁ ନେଇ ଆସିଥିଲେ ବାସୁଦେବ । ପରଦିନ କଂସ ଖବର ପାଇ ନବଜାତକକୁ ହତ୍ୟା କରିବାକୁ ଆସିଥିଲା । ସେହି ସମୟରେ ଘଟିଥିଲା ଅଲୌକିକ ଘଟଣା । କଅଁଳ କନ୍ୟାକୁ କଚାଡି ମାରିବାକୁ ଯାଉଥିବାବେଳେ ସେ କଂସ ହାତରୁ ଖସି ଯାଉ ଶୂନ୍ୟବାଣୀ ଦେଇଥିଲା । 'ତୋ ହନ୍ତା ଗୋପପୁରେ ବଢୁଛି' । ସେହି କନ୍ୟା ହେଲେ ବିଜୁଳି କନ୍ୟା । ମାଙ୍କ ଶୂନ୍ୟବାଣୀ ସତ ହେଲା । ପରେ ଭଣଜା କୃଷ୍ଣକୁ ଦେଖି ଭୟଭୀତ ହୋଇ ମଞ୍ଚାରୁ ପଡି ପ୍ରାଣ ହରାଇଲା ମାମୁଁ କଂସ । ଏହା ପରେ ମଥୁରାବାସୀ କଂସ କୋପରୁ ମୁକ୍ତି ପାଇଲେ ।

ପ୍ରେମର ପ୍ରତୀକ କାହ୍ନା:

ଆଜି ପବିତ୍ର ଜନ୍ମାଷ୍ଟମୀ

ନନ୍ଦଲାଲାର ମୟୂରଚୂଳ ଓ ଲହୁଣୀ ଭାରି ପ୍ରିୟ । ବିନା ମୟୂରଚୂଳରେ କାହ୍ନା କେଶ ବାନ୍ଧେ ନାହିଁ । ମୟୂରଚୂଳ ଲଗାଇ ଯେତେବେଳେ କହ୍ନେଇ ଗୋପପୁର ଦାଣ୍ଡକୁ ବାହାରି ଆସେ, ସହସ୍ର ଗୋପାଙ୍ଗନାଙ୍କ ନଜର ତାଙ୍କ ଉପରେ ହିଁ ପଡିଥାଏ । ଏହାକୁ କୃଷ୍ଣ-ରାଧାଙ୍କର ପ୍ରେମର ପ୍ରତୀକ ବୋଲି କୁହାଯାଏ । କୃଷ୍ଣଙ୍କର ସବୁଠୁ ପ୍ରିୟ ହେଉଛି ଲହୁଣୀ। ମାତା ଯଶୋଦାଙ୍କ ହାତର ଲହୁଣୀ ଖାଇବାକୁ କହ୍ନେଇ ଯେମିତି ପାଗଳ ହୋଇଯାଆନ୍ତି । ଏହି ଲହୁଣୀ ପାଇଁ ଯଶୋଦାଙ୍କ ନିକଟରେ ପ୍ରତିଦିନ କୃଷ୍ଣଙ୍କ ନାଁରେ ଅଭିଯୋଗ ଆସିଥାଏ । ଗୋପୀଙ୍କ ପାଖରୁ ମାଖନ ଚୋରି କରି ଖାଉଥିବାରୁ ତାଙ୍କୁ ମାଖନ ଚୋର ମଧ୍ୟ କୁହାଯାଏ ।

ଆଜି ପବିତ୍ର ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ ଓ ଝୁଲଣ:

ଝୁଲଣ ବିନା ଜନ୍ମାଷ୍ଟମୀ ଅଧୁରା । ପୂଜା ସରିଲା ପରେ ଝୁଲଣରେ ବାଳଗୋପାଳଙ୍କୁ ଝୁଲାଇଲେ ଦୀର୍ଘ ଦିନର ମାନସିକ ପୂରଣ ହୋଇଥାଏ । ଏହି ଦୃଶ୍ୟ ଅତି ମନୋରମ ହୋଇଥାଏ । ଆଣ୍ଠୁଆ ଗୋପାଳଙ୍କୁ ଝୁଲଣରେ ଝୁଲାଇବା ଦ୍ବାରା ସୁଖ ଓ ଶାନ୍ତି ପ୍ରାପ୍ତ ହୋଇଥାଏ । ଭଗବାନ କୃଷ୍ଣ ଗାଈକୁ ଅଧିକ ସ୍ନେହ କରୁଥିଲେ । ଜନ୍ମାଷ୍ଟମୀ ଦିନ ଗାଈ ବା ବାଛୁରୀଙ୍କୁ ପୂଜା କରିଲେ, ବହୁତ ଶୁଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ଆଜି ପବିତ୍ର ଜନ୍ମାଷ୍ଟମୀ

ଉତ୍ତର ଭାରତରେ ନନ୍ଦୋତ୍ସବ ଧୁମଧାମରେ ପାଳନ କରାଯାଏ । ଶ୍ରଦ୍ଧା ଭକ୍ତିରେ ପୂଜାର୍ଚ୍ଚନାରେ କୃଷ୍ଣ ପ୍ରୀତ ହେଲେ ସମସ୍ତ ଦୁଃଖ ଦୂର ହୁଏ । ସାଧାରଣତଃ ଓଡିଆ ଘରେ ଭାଗବତର କୃଷ୍ଣ ଜନ୍ମ ଅଧ୍ୟାୟ ପାଠ ହୁଏ । କୃଷ୍ଣଙ୍କ ଭଜନ କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଉଉଠେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details