ଓଡିଶା

odisha

ETV Bharat / city

ପବିତ୍ର ଜନ୍ମାଷ୍ଟମୀ: ନନ୍ଦଲାଲାଙ୍କ ନଟଖଟିଆ କାହାଣୀ

ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ ।

ଡିଜାଇନ ଫଟୋ

By

Published : Aug 23, 2019, 6:02 AM IST

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାଆନ୍ତି। ଏହା ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହିଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାଏ । ହିନ୍ଦୁମାନଙ୍କର ଏହା ମୁଖ୍ୟ ପର୍ବ। ଏହି ଦିନରେ ଭଗବାନ ଶ୍ରୀ କୃଷ୍ଣ ଧରାପୃଷ୍ଠରେ ଅବତରଣ କରିଥିଲେ। ଦେବକୀ-ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରାଗାରରେ ଜନ୍ମ ନେଇଥିଲେ ନନ୍ଦଲାଲା।

ଖାଲି ଭାରତରେ ଯେ ଜନ୍ମାଷ୍ଟମୀ ପାଳିତ ହେଉଛି ତାହା ନୁହେଁ, ଦେଶ ବିଦେଶରେ ବାସ କରୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି ପବିତ୍ର ପର୍ବକୁ ଅତି ନିଷ୍ଠାର ସହ ପାଳନ କରିଥାଆନ୍ତି। ଜନ୍ମାଷ୍ଟମୀ ଦୁଇଦିନ ଧରି ପାଳନ କରାଯାଏ । ପ୍ରଥମେ ଜନ୍ମାଷ୍ଟମୀ ଆଉ ତାପରେ ନନ୍ଦ ଉତ୍ସବ । ଏ ନେଇ ପୁରଠୁ ପଲ୍ଲୀ ସବୁ ଆଡେ ଉତ୍ସବର ମାହୋଲ ।

Janmastami celebrate

ଅଣ୍ଟାରେ ବଂଶୀ, ଲହୁଣୀବୋଳା ମୁହଁ, ମୁଚୁକୁନ୍ଦା ହସ, ମୁଣ୍ଡରେ ମୟୂରଚୁଳ, ଏହି ଚିତ୍ରକୁ ମନେ ପକାଇଲେ ହୃଦୟରେ ଭକ୍ତିର ଭାବନା ଉତ୍ପନ୍ନ ହୋଇଥାଏ। ଆଖିରୁ ଭାବର ଲୋତକ ବୋହିଯାଏ। କହ୍ନେଇ ଭାରି ପ୍ରେମ ବିକଳ। ଯିଏ ତାଙ୍କୁ ଭକ୍ତିର ସହ ପ୍ରେମ କଲା, ସେ କ୍ଷଣିକ ମଧ୍ୟରେ ତାର ହୋଇଯିବେ। ତାର ସମସ୍ତ ହାନିଲାଭ-ଦୁଃଖସୁଖ ତାଙ୍କର। ଶ୍ରୀକୃଷ୍ଣ ହେଉଛନ୍ତି ଲୀଳାମୟ ପୁରୁଷ । ନୀତି, ଆଦର୍ଶ ଓ ମାର୍ଗଦର୍ଶନର ମୂର୍ତ୍ତୀମନ୍ତର ପ୍ରତୀକ ହେଉଛନ୍ତି ସେ।

ଡିଜାଇନ ଫଟୋ

ଆସନ୍ତୁ ଜାଣିବା 'ମାଖନଚୋର'ର ଲୀଳା ଖେଳା ସମ୍ପର୍କରେ....

ବୈଶିଷ୍ଟ୍ୟ:


ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଯେଉଁଦିନ କୃଷ୍ଣଙ୍କର ପରଲୋକ ହେଲା, ସେ ଦିନ ଠାରୁ କଳି ଯୁଗ ଆରମ୍ଭ ହେଇଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳାମୟ ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ । ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା ।

ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳାଖେଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତା ନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ । ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀ ହୋଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ ।
ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନ କରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନା କରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବା ଲାଗି ତାଙ୍କୁ ମନେଇବାରେ ସକ୍ଷମ ହୋଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।

ଡିଜାଇନ ଫଟୋ

ପୌରାଣିକ ମତରେ ଦ୍ବାପର ଯୁଗରେ ପ୍ରତାପୀ କଂସକୁ ନିଧନ କରିବା ପାଇଁ ପ୍ରଭୁ ଶ୍ରୀ କୃଷ୍ଣ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ। କଂସର ବନ୍ଦୀଶାଳାରେ ଜନ୍ମ ନେଇଥିବା ଶ୍ରୀ କୃଷ୍ଣଙ୍କୁ କିନ୍ତୁ ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟଲୀଳା କରିବାର ଥିଲା। ତେଣୁ ପିତା ବସୁଦେବ ଅନ୍ଧାର ରାତି ଓ ମୂଷଳଧାରା ବର୍ଷାକୁ ଖାତିର ନ କରି ନବଜାତ କାହ୍ନାକୁ କୋଳରେ ଧରି ଗୋପ ଅଭିମୁଖେ ବାହାରିଗଲେ।

ଉଛୁଳା ଯମୁନା ନଦୀ ପାର ହେବା ସମୟରେ ପ୍ରଭୁ ତିନ୍ତି ଯାଉଥିବାରୁ ବାଟରେ ନାଗରାଜ ଅନନ୍ତ ବାସୁକୀ ନିଜର ବିଶାଳ ଫଣା ଢାଙ୍କି ଥିଲେ। ବାଟରେ ବହୁ ବାଧାବିଘ୍ନ ଆସୁଥିଲେ ମଧ୍ୟ ଏହାକୁ ବସୁଦେବ ଭ୍ରୁକ୍ଷେପ କରିନଥିଲେ ଓ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିଥିଲେ।

ଓଡିଶାରେ ଜନ୍ମାଷ୍ଟମୀ:
ଓଡିଶାର ପୁରପଲ୍ଲୀରେ ଜନ୍ମାଷ୍ଟମୀ ଉତ୍ସବକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହିଦିନ ଲୋକେ ଉପବାସ ରଖିଥାନ୍ତି। ରାତ୍ର 12 ଘଟିକା ପରେ କୃଷ୍ଣ ଜନ୍ମ ହେଲା ପରେ ଉପବାସ ଭାଙ୍ଗିଥାନ୍ତି। ପିଠା, ମିଠାରେ ଘର ମହକିଥାଏ। ଯେଉଁମାନଙ୍କ ଘରେ ଜନ୍ମାଷ୍ଟମୀ ପୂଜା କରାଯାଏ, ସେମାନଙ୍କ ଘରେ ହରିବଂଶ ପୁରାଣ ପାଠ କରାଯାଏ। ମନ୍ଦିର ବ୍ୟତୀତ ଘରମାନଙ୍କରେ ବାଲ ଗୋପାଲଙ୍କୁ ଅତି ନିଷ୍ଠାର ସହ ପୂଜା କରାଯାଏ। ଯେଉଁ ଲୋକମାନଙ୍କର ଚନ୍ଦ୍ରମା ର୍ଦୁବଳ ହୋଇଥାଏ, ସେମାନଙ୍କୁ ଏହି ଦିନରେ ବିଶେଷ ପୂଜା କରି ଲାଭ ପାଇପାରନ୍ତି ।

ଜନ୍ମାଷ୍ଟମୀ ଆସିଲେ ଘରେ ଘରେ ଖୁସିର ମାହୋଲ ବନିଯାଇଥାଏ। ନିଃସନ୍ତାନ ସମସ୍ୟା ଥିଲେ କୃଷ୍ଣଙ୍କ ପୂଜା କଲେ ଏହା ଦୂର ହୋଇଥାଏ। ତେଣୁ ଆବାଳ-ବୃଦ୍ଧ-ବନିତା ସମସ୍ତେ ନନ୍ଦଲାଲାଙ୍କ ଭାବରେ ବିଭୋର ହୋଇ ନିଜକୁ ସମର୍ପିତ କରିଥାଆନ୍ତି। ଏହି ଦିନରେ ଶ୍ରୀ କୃଷ୍ଣଙ୍କର ପୂଜା କରିବା ଦ୍ବାରା ପୁତ୍ର ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧିର ପ୍ରତୀତ ହୋଇଥାଏ । ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ଏହିଦିନ ମଧ୍ୟ ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଭୋଜି ଭାତର ଆସର ଜମିଥାଏ। ଏହାସହିତ ଛୋଟ ଛୋଟ ପିଲାମାନେ ଚିତ୍ତାକର୍ଷକ ପୋଷାକ ପିନ୍ଧି କାନ୍ଧ ଉପରେ ଛିଡା ହୋଇ ଦହିହାଣ୍ଡି ଭାଙ୍ଗିଥାଆନ୍ତି।

ଡିଜାଇନ ଫଟୋ
ପୂଜାବିଧି:

କଥାରେ କୁହାଯାଏ ଯେ, ଠାକୁରଙ୍କୁ ଯେମିତି ପୂଜା କରିବ, ସେ ସେମିତି ପ୍ରୀତ ହେବେ। କୃଷ୍ଣଙ୍କର ସମସ୍ତ ପୂଜା ପାର୍ବଣ ମଧ୍ୟରୁ ଜନ୍ମାଷ୍ଟମୀ ମୁଖ୍ୟ ହୋଇଥାଏ। ତାଙ୍କର ଅତି ପ୍ରିୟ ହୋଇଥାଏ। ସମସ୍ତଙ୍କର ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ। ସାଧାରଣତଃ ଜନ୍ମାଷ୍ଟମୀରେ ବାଳକୃଷ୍ଣଙ୍କର ସ୍ଥାପନା କରାଯାଇଥାଏ। ଆପଣ ଆପଣଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି କାହ୍ନାର ପୂଜା କରିପାରିବେ। ସେ ଜମା ବି ଅଭିମାନ କରେନା, ରାଗ-ରୁଷା ସବୁ କାହ୍ନା ପାଖରେ ତୁଚ୍ଛ। ନଟଖଟିଆ କୃଷ୍ଣର କେତେଗୁଡିଏ ଜିନିଷ ଭାରି ପ୍ରିୟ। ସେଥିମଧ୍ୟରୁ ଲହୁଣୀ, ମୟୂରଚୁଳ, ବଂଶୀ ଅନ୍ୟତମ।

ଡିଜାଇନ ଫଟୋ


ତେବେ ଚାଲନ୍ତୁ ଜାଣିବା ପୂଜାବିଧି ବିଧାନ ବିଷୟରେ...

  • . ପ୍ରଥମେ ବାଳ କୃଷ୍ଣଙ୍କୁ ଘିଅ, ମହୁ, କ୍ଷୀର ଓ ଅଗୁରୁରେ ଗାଧୋଇ ଦିଅନ୍ତୁ। ପରେ ତାଙ୍କ ଦେହରେ ସୁଗନ୍ଧିତ ଚନ୍ଦନରେ ଶୃଙ୍ଗାର କରନ୍ତୁ।
  • . ହଳଦିଆ ବସ୍ତ୍ର ତାଙ୍କର ଅତି ପ୍ରିୟ। ତେଣୁ ତାଙ୍କୁ ହଳଦିଆ ପୋଷାକଟିଏ ପିନ୍ଧାଇ ଦିଅନ୍ତୁ।
  • . ଗଳାରେ ମାଳିଟିଏ ଲଗାଇ ଦିଅନ୍ତୁ। ମୁଣ୍ଡରେ ଘନ କେଶ ସହ ମୟୂର ଚୁଳ ଟିଏ ଲଗାଇ ଦିଅନ୍ତୁ। ପରେ ତାଙ୍କ ମୁଣ୍ଡରେ ମୁକୁଟଟିଏ ଲଗାଇ ଦିଅନ୍ତୁ।
  • . କାନରେ କାନ ଫୁଲ ସହ ମଥାରେ ଟିକିଲିଟିଏ ଲଗାଇ ଦିଅନ୍ତୁ। ଅଣ୍ଟାରେ ବଂଶୀଟିଏ ଖୋସି ଦିଅନ୍ତୁ।
  • . ପରେ ତାଙ୍କୁ ଦୋଳିରେ ବସାଇ ଝୁଲାନ୍ତୁ। ବାଲ ଗୋପାଲଙ୍କ ଆଣ୍ଠୁ ନ କାଟିବା ପାଇଁ ତାଙ୍କ ଗୋଡ ତଳେ ଛୋଟ ଗଦି-ତକିଆଟିଏ ରଖି ଦିଅନ୍ତୁ।
  • . ଗୋଟିଏ କଥା ମନେ ରଖନ୍ତୁ କୌଣସି ଥିରେ ମଧ୍ୟ କଳା ରଙ୍ଗର ବ୍ୟବହାର କରନ୍ତୁ ନାହିଁ।
  • . ତୁଳସୀ ତାଙ୍କର ଅତି ପ୍ରିୟ। ତେଣୁ ତାଙ୍କୁ କଳା ତୁଳସୀରେ ସଜେଇ ଦିଅନ୍ତୁ। ହଳଦିଆ ଫୁଲ ତାଙ୍କ ମୁଣ୍ଡରେ ରଖନ୍ତୁ। ପଞ୍ଚାମୃତ ପ୍ରସ୍ତୁତ କଲାବେଳେ ସେଥିରେ ତୁଳସୀ ପକାଇବାକୁ ଭୁଲନ୍ତୁ ନାହିଁ।
  • . ମିଠା, ଲହୁଣୀ, ମିଶିରିର ଭୋଗ ଲଗାନ୍ତୁ। କ୍ଷୀରି ତାଙ୍କର ଅତି ପ୍ରିୟ। ଯଦି ସମ୍ଭବ, ତେବେ ଚାଉଳ କ୍ଷୀରି ପ୍ରସ୍ତୁତ କରି ଭୋଗ ଲଗାନ୍ତୁ।
  • . ପୂଜା କରୁଥିବା ସମୟରେ ଧଳା କିମ୍ବା କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ।
  • . ପୂଜା ଶେଷରେ ପ୍ରସାଦ ଗ୍ରହଣ କରନ୍ତୁ ଓ ଅନ୍ୟଙ୍କୁ ବାଣ୍ଟନ୍ତୁ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details