ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଉ ଅତିରିକ୍ତ 8 ମାସ ଅନ୍ନ ଯୋଜନାକୁ ଜାରି ରଖିବା ପାଇଁ ନିବେଦନ କରିଥିଲେ । ଏହି ପ୍ରସଙ୍ଗରେ ଆଜି (ସୋମବାର) ରାଜ୍ୟ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।
ଚାଉଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ହାସ୍ୟାସ୍ପଦ: ସମୀର ମହାନ୍ତି ସମୀର କହିଛନ୍ତି ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ ପ୍ରଥମ ଓ ଦ୍ଵିତୀୟ ଲହରରେ ମୋଦି ସରକାର ରାଜ୍ୟକୁ 15 ମାସ ପାଇଁ ଚାଉଳ ଓ ଗହମ ଯୋଗଇଥିଲେ । କୋଭିଡ ପ୍ରଥମ ଲହର ସମୟରେ ପ୍ରାୟ 3 କୋଟି 17 ଲକ୍ଷ ଲୋକଙ୍କୁ ଯେଉଁ ରାସନ ଦେଇଥିଲେ ତାହା ପାଖା ପାଖି 5 ହଜାର 214 କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ । ଏବେ ବି ଦେଶରେ କିଛି ରାଜ୍ୟ ରାସନ ନିଜେ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ସବୁବେଳେ ଦେଶରେ ଅନେକ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି କହୁଛନ୍ତି । ଏବେ ଚାଉଳ ଯୋଗାଇ ଉଦାହରଣ କାହିଁକି ସୃଷ୍ଟି କରୁନାହାନ୍ତି ବୋଲି ସମୀର କହିଛନ୍ତି ।
ସେହିପରି 2020-21 ରେ 13 ହଜାର 728 କୋଟି DMF ଫଣ୍ଡରୁ ଅର୍ଥ ସଂଗ୍ରହ କରିଛନ୍ତି ସରକାର । ସେହି ଟଙ୍କାରେ ନିଜ କାର୍ଯ୍ୟକ୍ରମ ଓ ଦଳୀୟ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ପାଇଁ ବିଭିନ୍ନ ଜିଲ୍ଲାକୁ ହେଲିକପ୍ଟର ରେ ଯାଉଛନ୍ତି । କିନ୍ତୁ ନା ଭାଷଣ ଦେଉଛନ୍ତି, ନା ସାମ୍ବାଦିକଙ୍କୁ ଭେଟୁଛନ୍ତି, ନା ଲୋକଙ୍କୁ ଭେଟୁଛନ୍ତି । ସେଠି କେବଳ ନିଜ ପୂର୍ବ ପ୍ରସ୍ତୁତ ଭିଡିଓ ଚାଲୁଛି, ତାହାଲେ କାହିଁ ଯାଉଛନ୍ତି ଓ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସମୀର କହିଛନ୍ତି ।
ସେହିଭଳି ସମୀର କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଯେଉଁ ଅର୍ଥ ଦିଆ ହେଉଛି ସେଥିରୁ 5 ଲକ୍ଷ ଲୋକ ଟଙ୍କା ନେଉନାହାନ୍ତି । ସେ ଟଙ୍କା ଭୂତ କାର୍ଡ ନା ରେ ଯାଉଛି । ମୁଖ୍ୟମନ୍ତ୍ରୀ କେବଳ ପତ୍ର ଲେଖି ନିଜ ଦାୟିତ୍ବ ସାରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ସମୀର।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ