ଭୁବନେଶ୍ବର: ଓଡ଼ିଶାର ଜୈବ ବିବିଧତା ବୋର୍ଡ଼ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ 'ଆନ୍ତର୍ଜାତିକ ଜୈବବିବିଧତା ଦିବସ' ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରଣାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୂସଂପତ୍ତି ଅଧିକାର ପ୍ରାଧୀକରଣର ଅଧକ୍ଷ ସିଦ୍ଧାନ୍ତ ଦାସ ଯୋଗ ଦେଇ ମଣିଷର ସ୍ଵାର୍ଥ ପାଇଁ ଜୈବବିବିଧତାର ସଂରକ୍ଷଣର ନିତାନ୍ତ ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରି ଏହାର ସୁରକ୍ଷା ଦିଗରେ ସଂକଳ୍ପ ନେବାକୁ ପଡ଼ିବ ବୋଲି ସେ ଆହ୍ବାନ କରିଥିଲେ ।
ପୂର୍ବତନ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଡ.ସଂଦୀପ ତ୍ରିପାଠୀ ଏହି ଅବସରରେ କହିଛନ୍ତି ଯେ ଖାଦ୍ୟଠାରୁ ଆରମ୍ଭ କରି ପାଣି, ପବନ ପର୍ଯ୍ୟନ୍ତ ମଣିଷର ସମସ୍ତ ଆବଶ୍ୟକତା ଜୈବ ବିବିଧତାରୁ ମିଳିଥାଏ । ଓଡ଼ିଶା ଜୈବବିବିଧତାରେ ସମୃଦ୍ଧ । ଜଳବାୟୁ ପରିବର୍ତ୍ତନ ହେଉଛି ଜୈବବିବଧତା ପାଇଁ ବଡ଼ ବିପଦ । ଓଡ଼ିଶା ରାଜ୍ୟ ଜୈବବିବିଧତା ବୋର୍ଡ ଏହାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।
ସ୍ଵାଗତ ଭାଷଣରେ ବୋର୍ଡ଼ର ଅଧ୍ୟକ୍ଷ ରାଜୀବ କୁମାର ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଚଳିତ ବର୍ଷ ‘ଜୀବଜଗତର ପ୍ରତ୍ୟେକ ଜୀବନ ପାଇଁ ଏକ ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ବୋଲି କହିଛନ୍ତି । ଭାରତରେ ଦେଖାଯାଉଥିବା ୧୬ ପ୍ରକାରର ପ୍ରମୁଖ ଜଙ୍ଗଲ ମଧ୍ୟରୁ ୫ ପ୍ରକାର ଓଡ଼ିଶାରେ ଦେଖାଯାଏ । ରାଜ୍ୟରେ ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ସହିତ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ, ପ୍ରସ୍ତାବିତ ଜାତୀୟ ଉଦ୍ୟାନ, ଜୈବମଣ୍ଡଳ ଏବଂ ଦୁଇଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୫୧୭୪ ପ୍ରଜାତିର ଉଦ୍ଭିଦର ଚିହ୍ନଟ ଓ ନାମକରଣ କରାଯାଇଥିବାବେଳେ ୨୮ଟି ସ୍ଥାନୀୟ ପ୍ରଜାତି ଓ ୧୫୭ଟି ବିଲୁପ୍ତପ୍ରାୟ ପ୍ରଜାତି ରହିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଓଡ଼ିଶାର ଜୈବବିବିଧତା ସଂପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର, ଦେବୀ ମୁହାଣର ସମୁଦ୍ର କଙ୍କଡ଼ା ସଂପର୍କିତ ଏକ ପୁସ୍ତିକା ଏବଂ ବନ୍ୟଜନ୍ତୁ ପରିଚାଳନା ପାଇଁ ମାର୍ଗଦର୍ଶିକା ଉନ୍ମୋଚିତ ହୋଇଥିଲା । ରାଜ୍ୟର ୧୦ଟି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ‘ମନୁଷ୍ୟ ସମାଜ ପାଇଁ ଜୈବବିବିଧତା’ ଶୀର୍ଷକ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।