ଭୁବନେଶ୍ବର: ଭାଇରସ ମାନେ ନାହିଁ କୌଣସି ଭୌଗୋଳିକ ସୀମାରେଖା । ଅନ୍ୟ ରାଜ୍ୟ ପରେ ଆମ ରାଜ୍ୟକୁ ସଂକ୍ରମଣ ଆସିଥିଲା । ସେହି ଅନୁଯାୟୀ ପଶ୍ଚିମ ଓଡିଶା ପରେ ଉପକୂଳ ଓଡ଼ିଶାରେ ଟିକିଏ ଅଧିକ ରହିଛି ସଂକ୍ରମଣ ଏବଂ 4-5 ଜିଲ୍ଲାରେ ସାମାନ୍ୟ ଅଧିକ ରହୁଛି । ଏଠି ମଧ୍ୟ ଆମେ ସଂକ୍ରମଣକୁ ରୋକି ପାରିବା । ଟେଷ୍ଟିଂ ଓ ଟ୍ରାକିଂ କରିବା ସହ ଯଦି ଲୋକମାନେ ସଚେତନ ହେବେ ଆମେ ତାକୁ ରୋକି ଦେଇ ପାରିବା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେହିପରି ସଂକ୍ରମଣକୁ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବା ହେତୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ହେଉଛି । ଫଳରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ବୁଝାସୁଝା କରାଯାଉଛି । ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି । ସଂକ୍ରମିତ ଲୋକଙ୍କୁ ସଂଗରୋଧ କରି ଚିକିତ୍ସା କରାଯାଉଛି ବୋଲି କହିଛନ୍ତି ସିବିକେ ମହାନ୍ତି ।