ଭୁବନେଶ୍ବର: ବର୍ଷକ ପରେ ବର୍ଷ ପାଳନ ହେଉଛି ବିଶ୍ବ ଆଦିବାସୀ ଦିବସ । କିନ୍ତୁ ସାଧାରଣ ଜୀବନରେ ଏମାନେ ଏବେବି ରହିଯାଇଛନ୍ତି ପଛରେ । କାହିଁକିନା ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି । ନା ସେମାନଙ୍କୁ ରାଜସ୍ବ ଗ୍ରାମରେ ସାମିଲ କରାଯାଉଛି ନା ସେମାନଙ୍କର ଜଙ୍ଗଲ ଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟ ଓ ଉପଯୁକ୍ତ ବଜାର ମିଳିପାରୁଛି ।
ଏହାକୁ ନେଇ ସେମାନେ ଆଜି ପର୍ଯ୍ୟନ୍ତ ବିକାଶର ଆଢୁଆଳରେ ରହି ଥିବାବେଳେ କରୋନାର ୨ ବର୍ଷ ମଧ୍ୟରେ ସେମାନେ ନିଜର ଜୀବିକା ହରାଇ ରୋଜଗାର ହରାଇଛନ୍ତି । ଦେଖିବାକୁ ଗଲେ ଓଡ଼ିଶାରେ ୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେମାନଙ୍କ ବିକାଶ ପାଇଁ ସମସ୍ତ ଅଧିକାର ରହି ଥିବାବେଳେ ଏଯାବତ ବିକାଶ ହୋଇପାରିନାହିଁ । ତେବେ ଓଡ଼ିଶାରେ ୬୨ ପ୍ରଜାତିର ୯୮ ଲକ୍ଷରୁ ଊର୍ଦ୍ଧ୍ବ ଆଦିବାସୀ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ଏକ ଲକ୍ଷ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି ।