ଭୁବନେଶ୍ବର: କିନ୍ନର । ଶଦ୍ଦ ଶୁଣି କେହି କେହି ନାକ ଟେକନ୍ତି ତ କେହି କେହି ଦୂରରୁ ଦେଖି ରାସ୍ତା କାଟନ୍ତି । ହେଲେ ସବୁ କିନ୍ନର ଭିକ୍ଷାବୃତ୍ତି କରନ୍ତି ନାହିଁ କି ସବୁ କିନ୍ନର କାହାକୁ ହଇରାଣ ହରକତ କରନ୍ତି ନାହିଁ । ଏମିତି କିଛି କିନ୍ନର ଅଛନ୍ତି ଯିଏ, ନିଜ ଗୋଡରେ ଛିଡା ହୋଇ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ରିପୋର୍ଟରେ ଦେଖିବା ରାଣୀ କିନ୍ନରଙ୍କ କାହାଣୀ ।
ରାଣୀ କିନ୍ନର । ମନରେ ଅଦମ୍ୟ ଇଚ୍ଛାକୁ ନେଇ ଚାଲି ଆସିଥିଲେ ସମାଜର ମୁଖ୍ୟ ରାସ୍ତାକୁ । କିନ୍ନର ବୋଲି ଟାହିଟାପରାକୁ ତିଳେ ମାତ୍ର ଖାତିର ନକରି ନିଜେ ସ୍ବାବଲମ୍ବୀ ହେବା ନିଶା ତାଙ୍କୁ ଆଜି ଏକ ନୂଆ ପରିଚୟ ଦେଇଛି । ଆମ ସମାଜରେ ସବୁବେଳେ ପୁଅ କିମ୍ବା ଝିଅଙ୍କୁ ଅଧିକ ପ୍ରାଥମିକତା ଦିଆଯାଏ । ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କୁ ଏ କ୍ଷେତ୍ରରେ ଟିକେ ଆଡ ନଜରରେ ଦେଖାଯାଏ । ମାତ୍ର ରାଣୀ କିନ୍ନର ଉବେର ଗାଡି ଚଳାଇ ଭାରତର ପ୍ରଥମ 5 ଷ୍ଟାର ରେଟିଂ ଡ୍ରାଇଭର ହୋଇଛନ୍ତି, ଯାହା ପାଇଁ ଓଡିଶା ଆଜି ଗର୍ବିତ ।