ଭୁବନେଶ୍ବର:କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲି ସୃଷ୍ଟ ହୋଇଥିଲା ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହି ସକ୍ରିୟ ଲଘୁଚାପ ସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ।
ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଅବପାତର ରୂପ ନେବ । ଫଳରେ ଆଜିଠାରୁ ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏହା ଏକ ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ବେଗରେ ପବନ ବହିବ ବୋଲି କହିଛି ପାଣିପାଗ ବିଭାଗ ।
ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ର ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସନ୍ଧ୍ୟାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡିସେମ୍ବର ୪ ଓ ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଡିସେମ୍ବର ୪ ତାରିଖ ପାଇଁ ୪ ଜିଲ୍ଲା ତଥା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।