ଭୁବନେଶ୍ବର: ଓଡିଶାରେ ଦକ୍ଷତା ଶିକ୍ଷାକୁ ଗୁରୁତ୍ବ(skills education) ଦେଇ ଯୁବ ସମାଜକୁ ଉଦ୍ୟମୀ କରିବାକୁ ପଡିବ । ତିନିଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ତାଳଚେରରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ ସହ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ଧର୍ମେନ୍ଦ୍ର । ପରବର୍ତ୍ତୀ ପର୍ଯ୍ୟାୟରେ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଚଳରେ ପ୍ରସ୍ତାବିତ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀଗୃହ ପରିଦର୍ଶନ କରିବା ସହ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ କଥା ହୋଇଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡିଶାରେ ଶିକ୍ଷାକୁ ସର୍ବବ୍ୟାପୀ, ସର୍ବ ସମାବେଶୀ ଓ ସୁଲଭ ମୂଲ୍ୟରେ ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ଏମସିଏଲ ଏହି କାମରେ ସହଯୋଗୀ ହୋଇଥିବାରୁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର । ଅନୁରୂପ ଭାବରେ କେନ୍ଦ୍ରମନ୍ତ୍ରୀ ତାଳଚେରର ପୁରଣା ଆରଟିଓ ବିଲଡିଂ ଠାରେ ଅନ୍ୟ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଶ୍ରେଣୀ ଗୃହ ପରଦର୍ଶନ କରିଥିଲେ । ଏହା ପରେ ଡେରା ପଞ୍ଚାୟତର ନିର୍ମାଣାଧୀନ କୋଲିୟରୀ ହାଇସ୍କୁଲ ବୁଲି ଦେଖିବା ସହ ସ୍କୁଲ ନିର୍ମାଣ କାମ ଅଗ୍ରଗତି ନେଇ ଜିଲ୍ଲା ପ୍ରଶାସନ ଓ ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।