ଭୁବନେଶ୍ବର: ରାଜ୍ୟରେ ବଢୁଥିବା ବନ୍ୟଜନ୍ତୁ ଅପରାଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ୱାଇଲ୍ଡ ଲାଇଫ୍ ଅପରାଧ ନିୟନ୍ତ୍ରଣ ବ୍ୟୁରୋ(Wild Life Crime Control Bureau ) ଅତିରିକ୍ତ ନିର୍ଦ୍ଦେଶିକା ତିଳତ୍ତମା ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ମୁଖ୍ୟ ବନସଂରକ୍ଷକ ଶଶୀ ପଲ(PCCF-Principal Chief Conservator of Forests), STF, ରେଳବାଇ, କୋଷ୍ଟ ଗାର୍ଡ ଓ କଷ୍ଟମ ବିଭାଗ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ସବୁ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।
ରାଜ୍ୟରେ ବଢୁଥିବା ବନ୍ୟଜନ୍ତୁ ଅପରାଧକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବନ୍ୟଜନ୍ତୁ ଶିକାରୀ କିପରି ଧରାପଡିବେ ଏବଂ ଅଧିକାରୀମାନେ କିପରି ଗୁଇନ୍ଦା ସୁଦୃଢ କରିବେ ସେନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯିବ । ଆଗକୁ ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ତସ୍କରି ରୋକିବାକୁ ଓଡିଶା ସହ ପଡୋଶୀ ରାଜ୍ୟଗୁଡିକ ମଧ୍ୟରେ ଆଲୋଚନା ହେବ । ଅନ୍ୟଅଟେ ସାଧାରଣ ଲୋକ ଚାଲିବା ପାଇଁ ଯେମିତି ରାସ୍ତାରେ ଓଭରବ୍ରିଜ୍ ତିଆରି ହୋଇଥାଏ, ସେମିତି ପ୍ରଥମଥର ପାଇଁ ରାଜ୍ୟରେ ହାତୀ ପାଇଁ ଓଭରପାସ୍ କରାଯିବ ।
ଆଠଗଡ-ଢେଙ୍କାନାଳ ରେଳ ଲାଇନ ଉପରେ ଏହି ଓଭରପାସ୍ ନିର୍ମାଣ କରାଯିବ । ୧୦୦ ମିଟର ଚଉଡାରେ ଏହି ଓଭରପାସ୍ ତିଆରି ହେବ । ଢେଙ୍କାନାଳ କପିଳାଶ ବନଖଣ୍ଡ ଅଞ୍ଚଳରେ ହାତୀମାନେ ରେଳଲାଇନ୍ ଅତିକ୍ରମ ପାଇଁ ଏହି ଓଭରପାସ୍ ତିଆରି ହେଉଛି । ଏହା ନିର୍ମାଣ ହେବା ଫଳରେ ଅଧିକାଂଶ ସମୟରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଉଥିବା ହାତୀ ସୁରକ୍ଷିତ ରହିପାରିବେ । ନ୍ୟାସନାଲ ବୋର୍ଡ ଫର ୱାଇଲ୍ଡ ଲାଇଫ୍ ପକ୍ଷରୁ ଓଭରପାସର କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଏଥିପାଇଁ ଡିଜାଇନ୍ ମଧ୍ୟ ପ୍ରସ୍ତୁତ ସରିଥିବା କହିଛନ୍ତି ତିଳତ୍ତମା । ଏହି ଓଭରପାସର ନିର୍ମାଣ ପାଇଁ ପାଖାପାଖି ୨ ବର୍ଷ ଲାଗିପାରେ । ପ୍ରଥମେ କଂକ୍ରିଟର ଏକ ଢାଞ୍ଚା ନିର୍ମାଣ କରାଯିବ । ଏହା ଉପରେ ମାଟିଦେଇ ଜଙ୍ଗଲ ଭଳି ପରିବେଶ ପ୍ରସ୍ତୁତ କରାଯିବ । ଯେଉଁ ରାସ୍ତା ଦେଇ ହାତୀ ସହ ଅନ୍ୟ ବନ୍ୟ ଜନ୍ତୁ ରେଳଧାରଣାକୁ ଅତିକ୍ରମ କରିପାରିବେ । ଏହାଦ୍ୱାରା ରେଳଧକ୍କାରେ ହେଉଥିବା ହାତୀମୃତ୍ୟୁକୁ ରୋକିହେବ । ସେଇ ନିଦ୍ଦିଷ୍ଟ ପଥ ଦେଇ ଯେମିତି ହାତୀ ଯିବା ଆସିବା କରିବେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବନ୍ଦୋବସ୍ତ ହେବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ