ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି (ଶନିବାର) ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ କ୍ୟାବିନେଟ 14ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ବୃଦ୍ଧି କରିବା ପାଇଁ ଇ-ଯାନ ପଲିସିକୁ ଅନୁମୋଦନ କରାଯାଇଛି । ସେହିପରି ଓଡ଼ିଶା ବାଲି ନୀତି-2021 ସମେତ ସର୍ବ ମୋଟ 14 ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।
ଇ-ଯାନ ପଲିସି ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର । ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ । ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । 2025 ସୁଦ୍ଧା ଅନ୍ୟୁନ 20 ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକୃତ ହେବ ।
ସେହିପରି ଓଡ଼ିଶା ବାଲି ନୀତି-2021କୁ ମଞ୍ଜୁର କରିଛି କ୍ୟାବିନେଟ । ଓଡ଼ିଶା ଭେଟନାରୀ ସର୍ଭିସ୍ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟନାରୀ ସେବା ପଦବୀ ସଂଖ୍ୟା 1481ରୁ 1910କୁ ବୃଦ୍ଧି ହେବ । ସେହିପରି ଓଡ଼ିଶା ସୋସିଆଲ୍ ସିକ୍ୟୁରିଟି ସର୍ଭିସ-2021 ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି । ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ ।