ଓଡିଶା

odisha

ETV Bharat / city

ଧାନ ବିକ୍ରୟରେ ନକଲି ଚାଷୀ ହେବେ ଚିହ୍ନଟ; ସାଟେଲାଇଟ ଇମେଜ ଯୋଗେ ହେଉଛି ଯାଞ୍ଚ

ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ । ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Aug 13, 2021, 7:30 AM IST

Updated : Aug 13, 2021, 9:36 AM IST

ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗରେ ଗୁରୁତ୍ୱ; ସାଟେଲାଇଟ ଇମେଜରି ମାଧ୍ୟମରେ ଧାନଚାଷ ଯାଞ୍ଚ
ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗରେ ଗୁରୁତ୍ୱ; ସାଟେଲାଇଟ ଇମେଜରି ମାଧ୍ୟମରେ ଧାନଚାଷ ଯାଞ୍ଚ

ଭୁବନେଶ୍ବର: ଚଳିତ ଖରିଫରେ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଓ ଏହାର ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ଏକ ନିର୍ଭୁଲ ଚାଷୀ ନାମ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ଚାଷୀ ନାମ ପଞ୍ଜୀକରଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଅଗଷ୍ଟ ୧୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୭ ଲକ୍ଷ ୭୨ ହଜାର ୫୪୪ ଜଣ ଚାଷୀ ଖରିଫ ଧାନ ବିକ୍ରି ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ମାର୍ଗଦର୍ଶିକା ଅନୁଯାୟୀ ଚଳିତ ଖରିଫରେ ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ନୂତନ ଭାବେ ନାମ ପଞ୍ଜିକରଣ ନିକଟସ୍ଥ ସୋସାଇଟିରେ କରିବା ଆବଶ୍ୟକ । ଚାଷୀମାନେ ଯେପରି ସୁବିଧାରେ ନାମ ପଞ୍ଜୀକରଣ କରିପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସୋସାଇଟିରେ ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କଗୁଡ଼ିକ କିପରି ଚାଷୀମାନଙ୍କୁ ନାମ ପଞ୍ଜିକରଣରେ ସହାୟକ ହୋଇଛି । ସେ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଏଥି ସହିତ ପଞ୍ଜିକରଣ ଓ ଯାଞ୍ଚ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ନିର୍ଭୁଲ ଚାଷୀ ପଞ୍ଜିକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ଚାଷୀ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ପ୍ଲଟ୍‌ରେ ଧାନଚାଷ କରାଯାଇଛି କି ନାହିଁ । ସେ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି । ଚଳିତ ବର୍ଷ ବିଭାଗ ପକ୍ଷରୁ ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର (ଓରସାକ) ସହାୟତାରେ ସାଟେଲାଇଟ୍‌ ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ଚଳିତ ଖରିଫରେ ପାଇଲଟ ପ୍ରକଳ୍ପ ଭାବରେ ୭ଟି ଜିଲ୍ଲାରେ ଉପଯୋଗ କରାଯାଉଛି । ସାଟେଲାଇଟରୁ ଉତ୍ତୋଳିତ ଫଟୋଚିତ୍ରର ବିଶ୍ଳେଷଣ ମାଧ୍ୟମରେ ଧାନ ଚାଷ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହରେ ସହାୟକ ହୋଇପାରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ କହିଛନ୍ତି ।

ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଧାନଚାଷ ହୋଇଥିବା ଜମିର ବୈଜ୍ଞାନିକ ପ୍ରଣାଳୀରେ ଯାଞ୍ଚ କରିବା ପ୍ରକ୍ରିୟା ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଛନ୍ତି । ସାଟେଲାଇଟ ମାଧ୍ୟମରେ ଉତ୍ତୋଳିତ ହେଉଥିବା ହାଇ ରିଜୋଲୁସନ ଫଟୋଚିତ୍ରକୁ ରାଜସ୍ୱ ବିଭାଗର କାଡାଷ୍ଟ୍ରାଲ ମ୍ୟାପ୍‌ ଓ ଜମିପଟ୍ଟା ସହିତ ଜିଓ ରେଫରେନ୍‌ସିଂ ମାଧ୍ୟମରେ ମେଳ କରାଯାଇ ଧାନଚାଷ ସମ୍ବନ୍ଧିତ ପ୍ଲଟ ଯାଞ୍ଚ କରାଯାଉଛି ବୋଲି ଓରସାକ୍‌ ତରଫରୁ ବୈଠକରେ ସୂଚନା ଦିଆଯାଇଛି । ଏଥିସହିତ ଅନ୍ୟ ପ୍ଲଟ୍‌ଗୁଡ଼ିକରେ ରାଜସ୍ୱ, ଜଳସମ୍ପଦ ଓ କୃଷି ବିଭାଗର ଅଧିକାରାୀଙ୍କ ଦ୍ୱାରା ଯୁଗ୍ମ କମିଟି ଦ୍ୱାରା ଚାଷଜମିର ଯାଞ୍ଚ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ବୈଠକରେ ସମବାୟ ସମିତି ସମୂହର ନବିନ୍ଧକ ସୁଶାନ୍ତ କୁମାର ବାରିକ, ଓରସାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପି.କେ. ମଲ୍ଲିକ, ଓରସାକର ବରିଷ୍ଠ ବୈଜ୍ଞାନିକ ପି.କେ.ପରିଡା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ କୁମାର ପୃଷ୍ଟି, ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ସୁଦର୍ଶନ ସେଠୀ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 13, 2021, 9:36 AM IST

ABOUT THE AUTHOR

...view details