ଓଡିଶା

odisha

ETV Bharat / city

ରାଜସ୍ୱ ବିଭାଗରେ 5T ର ପ୍ରଭାବ, 7 ଦିନରେ ମିଳୁଛି ଜମି ପଟ୍ଟା

୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ଘରବାଡ଼ି ପଟ୍ଟା ପାଇଁ ୩୦୦ ଦିନ ଲାଗୁଥିବାବେଳେ ଏବେ ଶତକଡା ୯୨ ଭାଗ କେସ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ ହୋଇ ଘରବାଡ଼ି ପଟ୍ଟା ଦିଆଯାଉଛି । ସେହିପରି ରାଜସ୍ୱ ସମୀକ୍ଷା ବୈଠକ ପରେ ରାଜ୍ୟରେ ୩୮,୦୦୦ ଏକର ବେନ୍ଦୋବସ୍ତ ଜମିର ଫଇସଲା କରାଯାଇଛି । ୫‘ଟି’ କାର୍ଯ୍ୟାନ୍ୱୟନ ମଧ୍ୟରେ ଇ-ପାଉତି ପୋର୍ଟାଲ ମାଧ୍ୟମରେ ପାଖାପାଖି ୨୦ ଲକ୍ଷ ଖାତାରେ ଲୋକମାନେ ଅନଲାଇନ ଖଜଣା ପୈଠ କରିଛନ୍ତି । ଅଧିକ ପଢନ୍ତୁ

By

Published : Aug 16, 2022, 10:26 PM IST

ରାଜସ୍ୱ ବିଭାଗରେ ୫T ର ପ୍ରଭାବ, ୭ ଦିନରେ ମିଳୁଛି ଜମି ପଟ୍ଟା
ରାଜସ୍ୱ ବିଭାଗରେ ୫T ର ପ୍ରଭାବ, ୭ ଦିନରେ ମିଳୁଛି ଜମି ପଟ୍ଟା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୫‘ଟି’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ୫‘ଟି’ ସଚିବ ଭି କାର୍ତିକେୟନ ପାଣ୍ଡିଆନ ଓ ରାଜସ୍ୱ ବିଭାଗ ଏବଂ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଛନ୍ତି ।

ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗ ନିମନ୍ତେ ଅନୁମୋଦିତ ୫‘ଟି’ ଚାର୍ଟରରେ ଥିବା କାର୍ଯ୍ୟ ସାରଣୀରେ ଥିବା ସମସ୍ତ କାର୍ଯ୍ୟର ବିବରଣୀ ଦେଇଛନ୍ତି । ଜୁଲାଇ ୨୦୧୯ରେ ରାଜସ୍ୱ ବିଭାଗରେ ୫‘ଟି’ କାର୍ଯ୍ୟକାରୀ ହୋଇଛି । ଏହା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଲୋକମାନଙ୍କୁ ଦିଆଯାଉଥିବା ସେବାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ୫‘ଟି’ କାର୍ଯ୍ୟକ୍ରମ ଅନୁସାରେ ବିଭାଗ ତରଫରୁ ଜିଲ୍ଲାୱାରୀ ନିୟମିତ ସମୀକ୍ଷା ବୈଠକ ହେଉଛି । ୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ଦାଖଲଖାରଜ ମାମଲା ମାସାଧିକ କାଳ ଲାଗୁଥିବାବେଳେ ଏବେ ଏହା ସାତ ଦିନ ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ପଟ୍ଟା ଦିଆଯାଉଛି । ନିୟମିତ ସମୀକ୍ଷା ବୈଠକ ପରେ ଲକ୍ଷାଧିକ ପଟ୍ଟା ସାତ ଦିନ ମଧ୍ୟରେ ସମାପ୍ତ ହୋଇ ଲୋକମାନଙ୍କୁ ସ୍ପିଡ଼ ପୋଷ୍ଟ ଓ ରାଜସ୍ୱ ରଥ ମାଧ୍ୟମରେ ବଣ୍ଟା ହୋଇଛି । କେତେକ ଜାଗାରେ ଜମି ନିବନ୍ଧନର କିଛି ଘଣ୍ଟା ମଧ୍ୟରେ ଦାଖଲଖାରଜ ମାମଲା ଫଇସଲା ହୋଇ ଲୋକଙ୍କୁ ପଟ୍ଟା ମିଳିପାରୁଛି । ଜନସାଧାରଣ ତହସିଲ ଅଫିସ ନ ଆସି ଅନଲାଇନ ମାଧ୍ୟମରେ ଦାଖଲଖାରଜ, ଘରବାଡ଼ି ଓ ଜମିର ଆପୋଷ ଭାଗବଣ୍ଟା ପାଇଁ ଆବେଦନ କରିପାରୁଛନ୍ତି ।

ସେହିପରି ୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ଘରବାଡ଼ି ପଟ୍ଟା ପାଇଁ ୩୦୦ ଦିନ ଲାଗୁଥିବାବେଳେ ଏବେ ଶତକଡା ୯୨ ଭାଗ କେସ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ ହୋଇ ଘରବାଡ଼ି ପଟ୍ଟା ଦିଆଯାଉଛି । ସେହିପରି ରାଜସ୍ୱ ସମୀକ୍ଷା ବୈଠକ ପରେ ରାଜ୍ୟରେ ୩୮,୦୦୦ ଏକର ବେନ୍ଦୋବସ୍ତ ଜମିର ଫଇସଲା କରାଯାଇଛି । ୫‘ଟି’ କାର୍ଯ୍ୟାନ୍ୱୟନ ମଧ୍ୟରେ ଇ-ପାଉତି ପୋର୍ଟାଲ ମାଧ୍ୟମରେ ପାଖାପାଖି ୨୦ ଲକ୍ଷ ଖାତାରେ ଲୋକମାନେ ଅନଲାଇନ ଖଜଣା ପୈଠ କରିଛନ୍ତି । ସେହିପରି ରାଜ୍ୟ ସରକାର ବିଭିନ୍ନ ଜାତିଗତ ଓ ବିବିଧ ପ୍ରମାଣପତ୍ର ପାଇବା ନିମନ୍ତେ ସମସ୍ତ ପ୍ରକାର ଦେୟକୁ ଉଚ୍ଛେଦ୍ଦ କରିଛନ୍ତି । ଯେକୌଣସି ସ୍ଥାନରୁ ଯେ କୌଣସି ସମୟରେ ବିଭିନ୍ନ ଜାତିଗତ ଓ ବିବିଧ ପ୍ରମାଣପତ୍ର ଇ-ଡିଷ୍ଟ୍ରିକଫ ପୋର୍ଟାଲ ମାଧ୍ୟମରେ ଆବେଦନ କରିହେବ । ଏହା ସମ୍ପୂର୍ଣ ଅନ୍‌ଲାଇନ ଓ ସମ୍ପୂର୍ଣ ଦେୟମୁକ୍ତ । ଜାନୁଆରୀ ୨୦୨୦ ପରଠୁ ଏହି ପୋର୍ଟାଲ ମାଧ୍ୟମରେ ଏକ କୋଟି ୧୨ ଲକ୍ଷରୁ ଉର୍ଦ୍ଧ୍ବ ସାର୍ଟିଫିକେଟ ବଣ୍ଟନ ସରିଛି । ଜନସାଧାରଣ ନିଜର ସାର୍ଟିଫିକେଟ ସେମାନଙ୍କର ମେଲବକ୍ସ, ଡିଜି ଲକର ଓ ପୋର୍ଟାଲରୁ ଡାଉନଲୋଡ କରିପାରିବେ । ଅଦ୍ୟାବଧି ୨୭ ଲକ୍ଷ ରେସିଡେଣ୍ଟ ଓ ୧୮ ଲକ୍ଷ ଇନକମ ପ୍ରମାଣପତ୍ର ଲୋକମାନଙ୍କର ସ୍ୱକୀୟ ଘୋଷଣାନାମା ଅନୁସାରେ ପ୍ରଦାନ କରାଯାଇଛି । ୫‘ଟି’ କାର୍ଯ୍ୟାନ୍ୱୟନ ପରେ ଓ ନିୟମିତ ସମୀକ୍ଷା ବୈଠକ ଫଳରେ ଏବେ ଶତକଡା ୯୮ ଭାଗ ବିବିଧ ଓ ଜାତିଗତ ପ୍ରମାଣପତ୍ର ଧାର୍ଯ୍ୟ ସମୟସୀମା ମଧ୍ୟରେ ଦିଆଯାଇଛି ।

ସେହିଭଳି ନିବନ୍ଧନ କାର୍ଯ୍ୟାଳୟ ତରଫରୁ ଯୋଗାଇ ଦିଆଯାଉଥିବା ସେବାଗୁଡିକରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଜମି କିଣାବିକା ଦଲିଲ ପୂର୍ବରୁ ୩ ଦିନ ମଧ୍ୟରେ ଦିଆଯାଉଥିବାବେଳେ ଏବେ ଏହା ଗୋଟେ ଦିନରୁ କମ ସମୟ ମଧ୍ୟରେ ଦିଆଯାଇପାରୁଛି । ସେହିପରି ସୋସାଇଟି ପଞ୍ଜୀକରଣ ୫‘ଟି’ କାର୍ଯ୍ୟାନ୍ୱୟନ ପୂର୍ବରୁ ୧୬୩ ଦିନ ଲାଗୁଥିଲାବେଳେ ଏବେ ୨୧ ଦିନ ମଧ୍ୟରେ ହେଇପାରୁଛି । ଏତଦବ୍ୟତୀତ ପାର୍ଟନରସିପ ଫାର୍ମର ପଞ୍ଜୀକରଣ ପୂର୍ବରୁ ୪୫ ଦିନ ଲାଗୁଥିଲାବେଳେ ଏବେ ୯ ଦିନ ମଧ୍ୟରେ ହୋଇପାରୁଛି । ଏହା ପରେ ମଧ୍ୟ ନିବନ୍ଧନ କାର୍ଯ୍ୟଳୟମାନଙ୍କରେ ଅଧିକ ସ୍ୱଚ୍ଛତା ପାଇଁ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମର କାର୍ଯ୍ୟାନ୍ୱୟନ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି । ନିବନ୍ଧନ କାର୍ଯ୍ୟଳୟମାନଙ୍କରେ ସମସ୍ତ ପ୍ରକାର ଦେୟକୁ ବିଭିନ୍ନ କାଉଣ୍ଟରରେ ନଦେଇ ଗୋଟେ କାଉଣ୍ଟରରେ ଦିଆଯାଉଛି । ସୋସାଇଟି ଓ ପାର୍ଟନରସିପ ଫାର୍ମର ପଞ୍ଜୀକରଣ ଏବେ ସମ୍ପୂର୍ଣ ଭାବରେ ଅନଲାଇନ । ସାଧାରଣ ଲୋକଙ୍କ ଜାଣିବା ନିମନ୍ତେ ଏବେ ସବୁ ନିବନ୍ଧନ ଓ ଉପ-ନିବନ୍ଧନ କାର୍ଯ୍ୟାଳୟମାନଙ୍କରେ ବିଭିନ୍ନ ସେବା ସମ୍ପର୍କୀୟ ହୋର୍ଡ଼ିଂଙ୍ଗ ଲଗାଯିବ ।ବିଗତ ଜାନୁଆରୀ ମାସରୁ ପ୍ରତି ମାସରେ ରେଳବାଇ, ଜାତୀୟ ରାଜପଥ, ଜଳସେଚନ ଓ ବିଭିନ୍ନ ମେଗା ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ବୈଠକ ହୋଇ ୫୯ ଗ୍ରାମରେ ୭୫୧ ଏକର ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ହସ୍ତାନ୍ତର କରାଯାଇଛି । ୨୬ ଗ୍ରାମରେ ୪୫୦ ଏକର ଜମି ଅଧିଗ୍ରହଣ ହୋଇ ରେଲେୱ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଛି । ନିୟମିତ ସମୀକ୍ଷା ବୈଠକ ଫଳରେ ରାଇପୁର ବିଶାଖାପଟନମର OD ୧ ରୁ OD ୬ ମଧ୍ୟରେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରଯାଇଛି । ବାହରଗୋଡା ଓ ସିଂହରା ମଧ୍ୟରେ ୩୨ ଆର୍ବିଟ୍ରେସନ କେସର ଫଇସଲା କରାଯାଇ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରାଯାଇଛି ।

ଏହା ବାଦ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଅନଗୁଳ-ସୁକିନ୍ଦା, ବୁଢ଼ାପଙ୍କ-ସାଲେଗାଓଁ ଏବଂ ଜୟପୁର-ମାଲକାନଗିରି ଆଦି ରେଳ ପ୍ରକଳ୍ପର ଜମି ଅଧିଗ୍ରହଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ରାଜସ୍ୱ ବିଭାଗର ପାରମ୍ପରିକ ନିୟାମକ କାର୍ଯ୍ୟ ବ୍ୟତୀତ ରାଜ୍ୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ରାଜସ୍ୱ ବିଭଗର ଉଲ୍ଲେଖନୀୟ ଯୋଗଦାନ ରହିଛି । ରାଜସ୍ୱ ବିଭାଗ ତରଫରୁ ୫‘ଟି’ ଚାର୍ଟର ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ୧୦,୦୦୦ ପଟ୍ଟା, ୫୫ ସ୍ଥାନରେ ବସଷ୍ଟାଣ୍ଡ ନିମନ୍ତେ ଜାଗା, ଜଳ ଜୀବନ ମିଶନ ପାଇଁ ଜାଗା, ୧୮,୩୭୩ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଜମି ପ୍ରଦାନ କରାଯାଇଛି । ସେହିପରି ସୁବର୍ଣ୍ଣରେଖା ଓ ଧାମରା ବନ୍ଦର ନିମନ୍ତେ ଯଥାକ୍ରମେ ୪୧୩ ଏକର ଓ ୫୯୮ ଏକର ଜମି, ଜୟପୁର ଓ ମାଲକାନଗିରି ଏୟାରଷ୍ଟ୍ରିପ ନିମନ୍ତେ ୧୮ ଏକର ଓ ୭୩ ଏକର ଜମି, ପାଇକ ସ୍ମାରକୀ ନିମନ୍ତେ ୯ ଏକର ଜମି ପ୍ରଦାନ କରାଯାଇଛି । ଏତଦବ୍ୟତୀତ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ଜମି ଚିହ୍ନଟ କରାଯାଇ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ହେଉଥିବା ଫରେଷ୍ଟ ଡାଇଭର୍ସନ ପ୍ରସ୍ତାବର ପ୍ରତିପୁରକ ବନୀକରଣ ନିମନ୍ତେ ଜଙ୍ଗଲ ବିଭାଗକୁ ଯୋଗାଇ ଦିଆଯାଇଛି ।ଜମି ଅଧିଗ୍ରହଣ ବ୍ୟତୀତ ସର୍ଭେରେ ୫‘ଟି’ ଚାର୍ଟର ମଧ୍ୟରେ ରାଜସ୍ୱ ବିଭାଗର କାର୍ଯ୍ୟ ଅବିସମ୍ବାଦିତ ଦେଓଗଡ ଜିଲ୍ଲାରେ ହାଇ-ଟେକ ସର୍ଭେ ସମ୍ପୂର୍ଣ ହୋଇ ପାଖାପାଖି ୩୦୦ ଗ୍ରାମରେ ULPIN ସୃଷ୍ଟି କରାଯାଇଛି ।

ସର୍ଭେ ନ ହୋଇଥିବା ଯାଜପୁର, କଳାହାଣ୍ଡି, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୩୪ ଗ୍ରାମରେ ନୂତନ ଭାବେ ସର୍ଭେ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ROTI ମାଧ୍ୟମରେ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ବର୍ଷ ତମାମ ବିଭିନ୍ନ ପ୍ରକାର ତାଲିମ ଡିଜିଟାଲ କ୍ଲାସ ରୁମ ମାଧ୍ୟମରେ ଦିଆଯାଉଛି ।୫‘ଟି’ କାର୍ଯ୍ୟାନ୍ୱୟନ ମାଧ୍ୟମରେ ନୂତନ ଭାବେ ସୃଷ୍ଟି ହୋଇଥିବା ୪୩୩ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ ଚାଲିଛି । ଜୁନ-୨୦୨୩ ମଧ୍ୟରେ ସମ୍ପୂର୍ଣ କରିବାକୁ ସ୍ଥିରୀକୃତ କରାଯାଇଛି । ସେହିପରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଦିଗରେ I୪MS କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ସମସ୍ତ ସେବାକୁ ଡିଜି-ଲକର ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୫‘ଟି’ ମାଧ୍ୟମରେ ଲୋକମାନେ ରାଜସ୍ୱ କୋର୍ଟ ନ ଆସି ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଲୋକମାନଙ୍କ ଶୁଣାଣି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ପୁରୁଣା ଜମିଜମା ସମ୍ବନ୍ଧୀୟ ସମସ୍ୟା ଗୁଡିକର ଚିହ୍ନଟ କରି ସମାଧାନର ପନ୍ଥା ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ବିଭାଗର ସମସ୍ତ ଖାଲି ଥିବା ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details