ଭୁବନେଶ୍ବର:ରାଜ୍ୟରେ ବନ୍ୟା ପ୍ରଭାବରେ ବେହାଲ ଥିବା ଅନେକ ତଳିଆ ଅଞ୍ଚଳ ଏବେ ବି ପାଣି ଘେରରେ ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ (Low Pressure ) । ବଙ୍ଗୋପସାଗରର ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହା ଗଭୀର ଅବପାତର ରୂପ ନେଇ ଉପକୂଳ ଅତିକ୍ରମ କରିବ । ବାତ୍ୟା ହେବାର ଯଥେଷ୍ଟ ସମ୍ଭାବନା ନାହିଁ । ଏହା ଉପକୂଳ ଅତିକ୍ରମ କରିବା ପରେ ଦୁର୍ବଳ ହେବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର (IMD DG Mrutyunjay Mohapatra ) ।
ବାତ୍ୟା ସମ୍ପର୍କରେ ମହାପାତ୍ର କହିଛନ୍ତି, " ବାତ୍ୟା ହେବ ବୋଲି କହିନାହୁଁ । ଏହା ଗଭୀର ଅବପାତ ରୂପ ନେଇ ଉପକୂଳକୁ ଅତିକ୍ରମ କରିବ । ବର୍ତ୍ତମାନ ଗଭୀର ଅବପାତଟି ଉପକୂଳ ନିକଟରେ ରହିଛି । ଦୀଘା ପାଖରୁ ୧୪୦ କିମି ଓ ବାଲେଶ୍ବରଠୁ ୨୦୦ କିମି ଦୂରରେ କେନ୍ଦ୍ରଭୂତ ରହିଛି । ଏହା ସ୍ଥଳଭାଗ ସହ ଇଣ୍ଟରଆକ୍ସନ କରୁଛି । ଏହା ଉପକୂଳକୁ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ । ଆଜି ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ବାଲେଶ୍ବର ଏବଂ ସାଗର ଦ୍ବୀପକୁ ଅତିକ୍ରମ କରିବ ।"