ଭୁବନେଶ୍ବର: ଅଜବ ନିୟମ। ଲଗାମଛଡା ଜୋରିମନା। ଶୁଣିବାକୁ ନାରାଜ ଅଫିସର। ବେଫିକର ପୋଲିସ କମିଶନର। ରାଜଧାନୀରେ ନୂଆ ଟ୍ରାଫିକ ନିୟମ ଲାଗୁ ପରେ ଏବେ ବଢିଛି ଫାଇନ ଆଦାୟକୁ ନେଇ ଅସନ୍ତୋଷ । ଗୋଟିଏ ପଟେ ଟ୍ରାଫିକ ସିଗନାଲ ବା ଛକରେ ଭିତ୍ତିଭୂମିରେ ସୁଧାର ନ ଆଣି ବିନା ସଚେତନରେ ସିଧାସଳଖ କାର୍ଯାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
ଯାହା କମିଶନରେଟ ପୋଲିସର ଅଜବ ନିୟମକୁ ନେଇ ପ୍ରଶ୍ନ ଉଠିଛି । ତେବେ କେଉଁ କାରଣରୁ ରାଜଧାନୀ ବାସୀ ଅସନ୍ତୁଷ୍ଟ ସେ ବିଷୟରେ ସବିଶେଷ ଜାଣନ୍ତୁ...
- ପ୍ରଥମ- ପାଦଚଲା ପଥଚାରୀଙ୍କ କୌଣସି ବ୍ୟବସ୍ଥା ନକରି ଲେନ ଡ୍ରାଇଭିଂ ଉପରେ ଗୁରୁତ୍ବ ଦେଇଛି ପୋଲିସ । ଯାହାକି ପାଦଚଲା ଲୋକେ କେଉଁଆଡେ ଯିବେ ତାହା ଏବେ ସମସ୍ୟା ସୃଷ୍ଟି କରିଛି।
- ଦ୍ବିତୀୟ- ରାସ୍ତା ଉପରେ କେଉଁଠି ଲେନ ତାହା ଚିହ୍ନିବା ମୁସ୍କିଲ । କାରଣ ଅନେକ ଲାଇନ ରାସ୍ତା ମଝିରେ ପଡିଛି ଯାହା ଭ୍ରମ ସୃଷ୍ଟି କରୁଛି ।
- ତୃତୀୟ-ବିନା ଜେବ୍ରା କ୍ରସିଂରେ ନିୟମ ଲାଗୁ କରିଛନ୍ତି । ଯାହାକି କେଉଁଠି ଲୋକେ ଷ୍ଟପରେ ରହିବେ ତାହା ଜାଣିବା ମୁସ୍କିଲ ହେଉଛି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ବିଧାନସଭା ଟ୍ରାଫିକ ।
- ଚତୁର୍ଥ-ବିନା ନୋ ପାର୍କିଂ ଜୋନ ଚିହ୍ନଟ ନକରି ଇଲିଗାଲ ପାର୍କିଂ ଫାଇନ ଆଦାୟ ଆରମ୍ଭ କରିଛି ପୋଲିସ । ଯାହା ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ଅନେକ ସ୍ଥାନରେ ପାର୍କିଂ ଆଦାୟ କରୁଥିବା ବିଏମସି ଏବେ ପାର୍କିଂ ଆଲଟମେଣ୍ଟ ବନ୍ଦ ଯୋଗୁଁ ପାର୍କିଂ ଫି ଆଦାୟ ହେଉନି। ହେଲେ ସେଭଳି କିଛି ସ୍ଥାନରେ ହ୍ବିଲ ଲକିଂ କରି ଫାଇନ ଆଦାୟ ଆରମ୍ଭ କରିଛି କମିଶନରେଟ ପୋଲିସ। ସର୍ବନିମ୍ନ ୫୦୦ ଟଙ୍କା ଚାର୍ଜ ସହ ଗାଡିର କ୍ରେନ ବୋହିବା ଚାର୍ଜ ମଧ୍ୟ ଆଦାୟ କରୁଛି ପୋଲିସ ।
- ପଞ୍ଚମ-ଓଭରଟେକିଂ ପାଇଁ ଫାଇନ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଏଯାଏଁ କେଉଁ ଛକରେ କେତେ ସ୍ପିଡ ଓ ସହର ଭିତରେ କେତେ ବେଗରେ ଚଳପ୍ରଚଳ କରିବେ ସେ ନେଇ କୌଣସି ସଠିକ ଫଳକ ବା ସୂଚନା ଦିଆଯାଇନାହିଁ ।