ଭୁବନେଶ୍ବର: ଶୈକ୍ଷିକ ଅନୁଷ୍ଠାନଗୁଡି଼କ ସହିତ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କ ରହିବା ଆବଶ୍ୟକ । ତା’ ସହ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଏକ ପାରସ୍ପରିକ ସମ୍ପର୍କ ରହିବା ଜରୁରୀ । ବିଶ୍ୱାସର ଭିତ୍ତି ଉପରେ ହିଁ ଏ ସମ୍ପର୍କ ଛିଡ଼ା ହୋଇଥାଏ । ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍ସି)ର ଛାତ୍ରମିଳନ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ ମୃଣାଳ ଚାଟାର୍ଜୀ । ଆଜି(ରବିବାର) ପୂର୍ବାହ୍ଣରେ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ସଂସ୍ଥାନର ସମ୍ମିଳନୀ କକ୍ଷରେ ଆଇଆଇଏମ୍ସି ପୁରାତନ ଛାତ୍ର ସଂଘ ‘ଇମ୍କା’ ଓଡି଼ଶା ଶାଖାର ‘କନେକସନ-୨୦୨୧’(ସଂଯୋଗ ୨୦୨୧) ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ସଭାପତି ସଞ୍ଜୟ ସାହୁ ଅଧ୍ୟକ୍ଷତା କରିଥିଲେ ।ପ୍ରଫେସର ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କର ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।
ପ୍ରଫେସର ଚାଟାର୍ଜୀ କହିଥିଲେ, କୌଣସି ଅନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କର ଆବେଗିକ ସମ୍ପର୍କ ସ୍ଥାପନ ପାଇଁ କୋଠାବାଡି଼ କି କାଳଖଣ୍ଡର ବିଶେଷ ଭୂମିକା ନ ଥାଏ, ବରଂ ସମ୍ପର୍କର ସାନ୍ଧ୍ରତା, ନିବିଡ଼ତା ଓ ସ୍ମୃତି ଉପରେ ନିର୍ଭର କରିଥାଏ । ଆଜିକାଲି ଭାରତବର୍ଷରେ ଅନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କର ଗଭୀର ସମ୍ପର୍କ ରହୁନାହିଁ । ବିଶ୍ୱାସ ଧୀରେ ଧୀରେ କମି କମି ଯାଉଛି । ଏହା ପ୍ରତ୍ୟେକ ଅନୁଷ୍ଠାନ ପାଇଁ ବିପଦ ସଙ୍କେତ । ପୁନଃ ପ୍ରତ୍ୟେକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ବିଶ୍ୱାସ ଆଣିବାକୁ ହେବ ବୋଲି ପ୍ରଫେସର ଚାଟାର୍ଜୀ କହିଥିଲେ ।ସଂଘ ସଭାପତି ଶ୍ରୀ ସାହୁ ‘ଇମ୍କା’ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଆଇଆଇଏମ୍ସିରେ ପଢ଼ିବା ପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଜୀବନରେ ମୋଡ଼ ନେଇଥାଏ । ବୃତ୍ତିଗତ କ୍ଷେତ୍ରରେ ଏକ ପରିଚୟ ଦେଇଥାଏ । ସଂସ୍ଥାନକୁ ଏହି ଶ୍ରେୟ ଦେବା ସହ ପାଠପଢ଼ା ସମୟର ସ୍ମୃତିକୁ ସଞ୍ଜୀବିତ କରିବା ପାଇଁ ‘କନେକ୍ସନ’ ଆୟୋଜନ କରାଯାଉଛି । ପ୍ରତ୍ୟେକ ରାଜ୍ୟ ସହ ବିଦେଶରେ ମଧ୍ୟ ଏହା ଆୟୋଜନ କରାଯାଉଛି । ସମସ୍ତ ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହ ବୃତ୍ତିଗତ କ୍ଷେତ୍ରରେ ସମସ୍ତେ ସମସ୍ତଙ୍କୁ ସହଯୋଗ କରିବାରେ ସଂଘ ପ୍ରମୁଖ ଭୂମିକା ନେଉଛି