ଭୁବନେଶ୍ବର : ରାଜଧାନୀ ରେଳ ଟ୍ରାକରେ ICICI ବ୍ୟାଙ୍କ ମ୍ୟାନେଜର ମୃତଦେହ। କ୍ଷତାକ୍ତ ଅବସ୍ଥାରେ ଟ୍ରାକରୁ ଉଦ୍ଧାର ହୋଇଛି । ମୃତକ ଜଣକ ଶ୍ରିୟା ଛକ ICICI ବ୍ୟାଙ୍କର ଟ୍ରାନଜାକ୍ସନ ମ୍ୟାନେଜର ଭାବେ କାମ କରୁଥିବା ଗୌରବ ରାଜ ବୋଲି ଜଣାପଡ଼ିଛି । ତାଙ୍କ ଘର ଭାଗଲପୁର ବିହାରର ହୋଇଥିବା ନେଇ ସୂଚନା ମିଳିଛି । ସେ ଏଠାରେ ରହି ବ୍ୟାଙ୍କରେ କାମ କରୁଥିଲେ । ସତ୍ୟନଗରର ଓଭରବ୍ରିଜ ଠାରୁ ସହିଦନଗର ଓଭରବ୍ରିଜ ମଧ୍ୟରେ ଥିବା ରେଳ ଟ୍ରାକରୁ ମୃତଦେହକୁ ଜବତ କରିଛି ଜିଆରପି ପୋଲିସ ।
ରବିବାର ଦିନ ଅପରାହ୍ନ ସମୟରେ ମୃତଦେହ ପଡିଥିବା ଖବର ପାଇଥିଲା ଜିଆରପି ପୋଲିସ । ମୃତଦେହକୁ ଉଦ୍ଧାର ପରେ କ୍ୟାପିଟାଲ ହସପିଟାଲର ବ୍ୟବଛେଦ ଗୃହକୁ ପଠାଇଛି। କେସ ନମ୍ବର ୨୯ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତନାଘନା ଚଳାଇଛି ଜିଆରପି ପୋଲିସ । ତେବେ ସେ ଆତ୍ମହତ୍ୟା କରିଥିବା ନେଇ ଜିଆରପି ପୋଲିସ ପ୍ରାଥମିକ ସନ୍ଦେହ କରୁଛି । ଦେହରେ କ୍ଷତାକ୍ତ ଗଭୀର ଚିହ୍ନ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଛି । ଯଦି ଆତ୍ମହତ୍ୟା ତେବେ ଏମିତି କାରଣ କଣ ଯାହାକୁ ନେଇ ସେ ଆତ୍ମହତ୍ୟା କରିଥାଇପାରନ୍ତି ।