ଭୁବନେଶ୍ବର: ସମଗ୍ର ମଣିଷ ସମାଜକୁ ଗ୍ରାସ କରିଛି କୋରୋନା । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ମନ୍ତ୍ରୀ ଓ ବଡ ବଡ ଅଫିସରଙ୍କୁ ବି ଛାଡୁନି ଏହି ଭୂତାଣୁ । ମାଟିର ଅନେକ ସୁଯୋଗ୍ୟ ସନ୍ତାନ ମହାମାରୀ ଆଗରେ ହାର ମାନି ଆଖି ବୁଜିଲେଣି ଏବଂ ଏବେ ବି ଅନେକ ଏହି କିଲର ଭୂତାଣୁର ଜାଲରେ ଛଟପଟ ହେଉଛନ୍ତି । ଯାହାଙ୍କ ମଧ୍ୟରୁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର ଅନ୍ୟତମ । ନିକଟରେ ଗୁରୁପ୍ରସାଦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ସେ ଏବେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ICUରେ ଭର୍ତ୍ତି ହୋଇ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସଚିବ ଗୁରୁପ୍ରସାଦଙ୍କ ସ୍ବାସ୍ଥ୍ୟବସ୍ଥା ଲଗାତାର ପଚାରି ବୁଝୁଛନ୍ତି ।
ସୂଚନାଥାଉକି, ଗୁରୁପ୍ରସାଦ ମହାପାତ୍ର 1986 ବ୍ୟାଚ୍ ଗୁଜୁରାଟ କ୍ୟାଡର IAS ଅଧିକାରୀ ଅଟନ୍ତି । ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର(BJB) ଛାତ୍ର ଥିଲେ । ଗୁରୁପ୍ରସାଦ ଏଠାରେ ସ୍ନାତକ ପଢୁଥିଲେ ଏବଂ ଜବହାରଲାଲ୍ ନେହୁର ୟୁନଭରସିଟିରେ ନିଜ ସ୍ନାତକୋତ୍ତର ଶେଷ କରିଥିଲେ । ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ସଚିବ ଦାୟିତ୍ବ ବହନ କରିବା ଆଗରୁ ସେ ଭାରତୀୟ ବିମାନ ପ୍ରାଧିକରଣ (AAI)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ।