ଭୁବନେଶ୍ବର: ବିଗତ କିଛି ବର୍ଷ ମଧ୍ୟରେ ଓଡି଼ଶା ଅନେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିଛି । ଜିରୋ କାଜୁଆଲଟି ଲକ୍ଷ୍ୟ ପାଇଁ ସାରା ବିଶ୍ବରେ ଓଡ଼ିଶା ପ୍ରଶଂସା ସାଉଁଟିଛି ।
ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ବିଶେଷ ରଣକୌଶଳ ଆପଣାଇଛି ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ରଣନୀତି ଏବଂ ମୁକାବିଲା ନେଇ ବର୍ତ୍ତମାନ ଓଡିଶା ଅନ୍ୟ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳକୁ ଶିଖାଇବ । ଏଥିପାଇଁ ରାଜଧାନୀ ଭୁବନେଶ୍ବରରେ ଆୟୋଜିତ ହେଉଛି ସ୍ବତନ୍ତ୍ର କର୍ମଶାଳା ।
ଏହି କର୍ମଶାଳାରେ ଯୋଗ ଦେଇଛନ୍ତି ୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୨ରୁ ଅଧିକ ପ୍ରଶାସନିକ ଅଧିକାରୀ । ଛତିଶଗଡ଼, ପଶ୍ଚିମବଙ୍ଗ, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ରାଜ୍ୟର ପ୍ରଶାସନିକ ଅଧିକାରୀ କର୍ମଶାଳାରେ ସାମିଲ ରହିଛନ୍ତି ।
କର୍ମଶାଳାରେ ବାତ୍ୟା କିମ୍ବା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କିଭଳି କରାଯାଉଛି ତାହାକୁ ନେଇ ଆଲୋଚନା କରାଯାଉଛି । ବିଗତ ୯ ବର୍ଷ ମଧ୍ୟରେ ରାଜ୍ୟ ଅନେକ ବାତ୍ୟାର ସାମନା କରିଛି । ଫାଇଲିନଠାରୁ ଆରମ୍ଭ କରି ଗୁଲାବ ପର୍ଯ୍ୟନ୍ତ ବାତ୍ୟାର ସଫଳତାର ସହ ମୁକାବିଲା କରିଛି ରାଜ୍ୟ । ଓଡ଼ିଶା ବର୍ତ୍ତମାନ ଏହି କୌଶଳ ଅନ୍ୟ ରାଜ୍ୟମାନଙ୍କୁ ଶିଖାଉଛି । ଯାହା ଦ୍ବାରା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳତାର ସହ ମୁକାବିଲା କରି ପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ