ଭୁବନେଶ୍ବର: ୨୦୨୧ ମସିହା ଅଦ୍ୟାବଧି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଅଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ରହିଛି । କୋଭିଡ ପରିସ୍ଥିତିକୁ ପୋଲିସ ସଫଳ ଭାବେ ନିୟନ୍ତ୍ରଣ କରିଛି । ସେବା ମନୋବୃତ୍ତି ନେଇ ୧୦୨୬ରୁ ଅଧିକ ପୋଲିସ କର୍ମଚାରୀ କୋଭିଡ ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି ।
ଅପରାଧ ଓ ଜରୁରୀ ସମୟରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ ସରକାର Emergency Response Support system (ERSS) କାର୍ଯ୍ୟକାରୀ କରୁଛନ୍ତି, ଯାହାର କମାଣ୍ଡ ସେଣ୍ଟର ଭୁବନେଶ୍ବରରେ ସ୍ଥାପନ କରାଯାଇଛି । ଏହାଦ୍ବାରା ଗୋଟିଏ ନମ୍ବର ୧୧୨ ଦ୍ବାରା ପୋଲିସ ସେବା, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ମହିଳା ଓ ଶିଶୁ ସହାୟତା ଇତ୍ୟାଦି ଉପଲବ୍ଧ ହେବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୧୦୯୮ଟି ବିଭିନ୍ନ ପଦବୀ ଯଥା- ୪ TDSP, ୧୫୧ ଟି ସବ୍-ଇନ୍ସପେକ୍ଟର, ୨୦୩ ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ୭୪୦ଟି କନେଷ୍ଟେବଳ ପଦବୀ ସୃଷ୍ଟି କରିଛନ୍ତି । ଏହା ବ୍ୟତୀତ, ଉକ୍ତ ସେବାଗୁଡ଼ିକର ସଠିକ କାର୍ଯ୍ୟକାରିତା ପାଇଁ ୧୯୮ଟି କଲ୍ ଟେକର୍ସ ଏବଂ ୧୦୨ ଗୋଟି ଗାଡ଼ି ଅଣାଯିବାର ବ୍ୟବସ୍ଥା କରାଯାଇଛି ।
ମହିଳାମାନଙ୍କ ବିରୋଧରେ ଘଟୁଥିବା ଅପରାଧ ଗୁଡିକୁ ସଫଳତାର ସହ ପରିଚାଳନା କରିବା ପାଇଁ ଉକ୍ତ ମାମଲା ଗୁଡିକୁ ''Red Flag" ପର୍ଯ୍ୟାୟଭୁକ୍ତ କରାଯାଇଛି । ୨୦୨୧ ମସିହା ଜୁଲାଇ ୩୧ ସୁଦ୍ଧା ୮୧ଟି ମାମଲାକୁ ରେଡ ଫ୍ଲାଗ୍ ମାମଲା ଭାବେ ଗ୍ରହଣ କରାଯାଇଛି । ଉକ୍ତ ମାମଲାର ସଠିକ ଭାବରେ ପରିଚାଳନା କରିବା ପାଇଁ ହୋଲଡିଂ ତଦନ୍ତକାରୀ ଅଧିକାରୀ ଏବଂ ସ୍ଵତନ୍ତ୍ର ସରକାରୀ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି । ଫଳସ୍ଵରୁପ ଚଳିତ ବର୍ଷ ୨୦୨୧ ମସିହାରେ ରେଡ ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୨୦ ଓ ଚଳିତ ବର୍ଷ ଅଦ୍ୟାବଧି କ୍ରାଇମବ୍ରାଞ୍ଚ, STF ତତ୍ତ୍ୱାବଧାନରେ ନାରକୋଟିକ୍ ଡ୍ରଗ୍ସ ବିରୋଧରେ ପ୍ରଭାବଶାଳୀ ଡ୍ରାଇଭ୍ ନିୟମିତ ଅନ୍ତରାଳରେ ସାରା ରାଜ୍ୟରେ ହାତକୁ ନିଆଯାଉଛି । ୨୦୨୧ ମସିହା ଜୁନ ମାସ ସୁଦ୍ଧା ୮୦୬ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହା ପୋଲିସର ଏକ ରେକର୍ଡ ସଫଳତା । STF, CID, Crime Branch ନେତୃତ୍ବରେ ସାରା ରାଜ୍ୟରେ ଗଞ୍ଜେଇ ବିରୋଧରେ ଡ୍ରାଇଭ୍ ଜାରି ରହିଛି । ରାଜ୍ୟରେ ୨୦୨୦ ମସିହାରେ ୩୪.୩୨ କେଜି ଏବଂ ୨୦୨୧ (ଜୁନ ମାସ ସୁଦ୍ଧା) ମସିହାରେ ୨୧.୫୦ କିଗ୍ରା ବ୍ରାଉନସୁଗାର ଜବତ କରାଯାଇଛି, ଯାହାକି ପୋଲିସର ଏକ ବଡ ସଫଳତା ।