ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ସଚିବ ଆର. ଭିନିଲ୍ କ୍ରିଷ୍ଣା ଆଜି ରାଉରକେଲା ଗସ୍ତ କରିଛନ୍ତି । ବରିଷ୍ଠ ସଚିବ ଦଳ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ବରିଷ୍ଠ ସଚିବଙ୍କ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ୍ ଖେଳ ସହ ଆଥ୍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହା ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍ କାର୍ଯ୍ୟ ବୁଲି ଦେଖିଛନ୍ତି । ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ୍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ୍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ ।
ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,"ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି । ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ନିର୍ମାଣ କାମ ମଧ୍ୟ ଶେଷ ପର୍ଯାୟରେ ପହଞ୍ଚିସାରିଛି । ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ୍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ୍ ଟ୍ରାକ୍ ନିର୍ମାଣ କରାଯାଉଛି ।
ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସମୀକ୍ଷା:-
ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟ ବୁଲି ଦେଖିଛନ୍ତି । ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର୍ଯ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଛନ୍ତି । ୨୦୨୩ ରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ଭୁବନେଶ୍ବର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ । ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ । ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପରିଚିତ କରାଇବ ।
ଫୁଟବଲ ସହ ଆଥ୍ଲେଟିକ୍ସ ପାଇଁ ସ୍ୱତନ୍ତ୍ର ଷ୍ଟାଡିୟମ:-
ପାନପୋଷଠାରେ ବ୍ୟାଡମିଣ୍ଟନ ଏବଂ ଲନ୍ ଟେନିସ୍ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି । ଏଠାରେ ୩ଟି ଇନଡୋର ବ୍ୟାଡ୍ମିଣ୍ଟନ କୋର୍ଟ ସହିତ ଆଉଟଡୋର ଲନ୍ ଟେନିସ୍ କୋର୍ଟ ରହିଛି । ଖେଳାଳିମାନଙ୍କ ଫିଟନେସ୍ ପାଇଁ ଅତ୍ୟାଧୁନିକ ଜିମ୍ର ବ୍ୟବସ୍ଥା କରାଯାଉଛି । ସେହିପରି ଫୁଟବଲ ଖେଳ ସହ ଆଥ୍ଲେଟିକ୍ସ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି । ସଚିବସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଛନ୍ତି ।