ଓଡିଶା

odisha

ETV Bharat / city

ବିଶ୍ବ ଏଡସ୍ ଦିବସରେ ଏଚଆଇଭି ଓ ସିଫିଲିସ ପରୀକ୍ଷା କିଟ ଲୋକାର୍ପିତ - ବିଶ୍ବ ଏଡସ ଦିବସ

ବିଶ୍ବ ଏଡସ ଦିବସ ଅବସରରେ ଓଡିଶାରେ ଗର୍ଭବତୀ ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚଆଇଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ଦ୍ବୈତ ପରୀକ୍ଷଣ କିଟ ଉନ୍ମୋଚିତ ହୋଇଛି। ଅଧିକ ପଢନ୍ତୁ...

ଗର୍ଭବତୀଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚଆଇଭି ଓ ସିଫିଲିସ ପରୀକ୍ଷା କିଟ ଲୋକାର୍ପିତ
ଗର୍ଭବତୀଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚଆଇଭି ଓ ସିଫିଲିସ ପରୀକ୍ଷା କିଟ ଲୋକାର୍ପିତ

By

Published : Dec 2, 2020, 7:39 AM IST

ଭୁବନେଶ୍ବର: ଦେଶରେ ପ୍ରଥମ ଥର ପାଇଁ ଓଡିଶାରେ ଗର୍ଭବତୀ ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚଆଇଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ଦ୍ବୈତ ପରୀକ୍ଷଣ କିଟ ଉନ୍ମୋଚିତ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚଆଇଭି ଓ ସିଫିଲିସ ଦ୍ବୈତ ପରୀକ୍ଷଣ କିଟକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଲୋକାର୍ପଣ କରିଛନ୍ତି। ବିଶ୍ବ ଏଡସ ଦିବସ ଅବସରରେ ମଙ୍ଗଳବାର ଓସାକ୍ସ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସମାରୋହକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଅନଲାଇନରେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦାସ ସଂପୃକ୍ତ କିଟ ସହ ଓସାକ୍ସର ଅର୍ଦ୍ଧବାର୍ଷିକ ନ୍ୟୁଜ ଲେଟରର ମଧ୍ୟ ଉନ୍ମୋଚନ କିରଛନ୍ତି।

ଗର୍ଭବତୀଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚଆଇଭି ଓ ସିଫିଲିସ ପରୀକ୍ଷା କିଟ ଲୋକାର୍ପିତ

ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ସୁଦ୍ଧା ୬ ଲକ୍ଷ ଲୋକଙ୍କ ପରୀକ୍ଷା ହୋଇଥିବାବେଳେ, ୨୦୧୯ ରେ ଏହା ୧୪ ଲକ୍ଷରେ ପହଞ୍ଚିଛି। ଅଧିକ ସଂକ୍ରମଣ ପ୍ରବଣ ଅଞ୍ଚଳରେ ସଚେତନତା ଓ ପ୍ରତିଷେଧକ ବ୍ୟବସ୍ଥା ତଥା ବ୍ୟବହାରିକ ପରିବର୍ତ୍ତନ ଫଳରେ ଏଚଆଇଭିର ବ୍ୟାପକତା ୨୦୧୦ ଠାରୁ ହ୍ରାସ ଘଟି ୦.୩୧ ପ୍ରତିଶତରୁ ୨୦୧୯ ରେ ଏହା ୦.୧୪ରେ ପହଞ୍ଚିଛି। ରାଜ୍ୟରେ ୨୩୨ଟି ସମନ୍ବିତ ପରାମର୍ଶ ଓ ରକ୍ତ ପରୀକ୍ଷା କେନ୍ଦ୍ର ରହିଛି । ଯେଉଁଠାରେ ବିନା ମୂଲ୍ୟରେ ପରାମର୍ଶ ଓ ରକ୍ତ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଇଛି। ଏତଦବ୍ୟତୀତ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଦେବା ନିମନ୍ତେ ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ୪୫୯ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ରହିଛି।

୪୮ଟି ଲକ୍ଷ୍ୟଭେଦୀ ପ୍ରକଳ୍ପ, ୬ଟି ଲିଙ୍କ ୱାର୍କର ସ୍କିମ ଏବଂ ୧୧ଟି ଟ୍ରାନଜିଟ ପ୍ରୋଜେକ୍ଟ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ଏଚଆଇଭି ସମ୍ପର୍କୀତ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ସେ କହିଛନ୍ତି, ସମ୍ପ୍ରତି ଓଡିଶାରେ ଏଚଆଇଭିର ପ୍ରଭାବ ୦.୧୪ ପ୍ରତିଶତ ରହିଛି । ଯାହା ଜାତୀୟ ହାର ୦.୨୨ ପ୍ରତିଶତରୁ କମ ଅଟେ। ରାଜ୍ୟର ୫୩୧ଟି ନୂତନ ଜନ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୬୩୦ଟି ହେଲଥ ୱେଲନେସ କେନ୍ଦ୍ରରେ ବିନା ମୂଲ୍ୟରେ ଏଚଆଇଭି ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ସେ ଆହୁରି କହିଛନ୍ତି ଯେ, ଗୋଟିଏ ପରୀକ୍ଷଣ କିଟ ଜରିଆରେ ଗର୍ଭବତୀ ମହିଳାମାନଙ୍କ ଏଚଆଇଭି ଓ ଯୌନ ସଂକ୍ରମଣ ସ୍ଥିତି ନିରୂପଣ କରାଯିବ। ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ବଚ୍ଛତା ଓ ସ୍ବାସ୍ଥ୍ୟ ପୁଷ୍ଟିକର ଦିବସରେ ଗର୍ଭବତୀ ମହିଳାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷଣ କରାଯାଉଛି।

ଚଳିତବର୍ଷ ୩ ଲକ୍ଷ ୧୧ ହଜାର ୨୯୫ ଜଣ ଗର୍ଭବତୀ ମହିଳାଙ୍କର ପରୀକ୍ଷଣ କରାଯାଇ ୨୨୮ ଜଣଙ୍କ ଏଚଆଇଭି ଭୂତାଣୁ ଚିହ୍ନଟ କରାଯାଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୁବପିଢୀମାନଙ୍କ ସକାରାତ୍ମକ ଭୂମିକା ପ୍ରଦର୍ଶନର ଆବଶ୍ୟକତାକୁ ଦେଖି ରେଡକ୍ରସ ସୋସାଇଟି ସହାୟତାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ୬୪୦ ରେଡରିବନ କ୍ଲବ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ଏଡସ ନିରାରକଣ ସମ୍ପର୍କିତ ସଚେତନତା କରାଯାଉଛି। ଏହି ଅବସରରେ ସେ ଜିଲ୍ଲାସ୍ତରୀୟ ରେଡରିବନ କ୍ଲବ କୋଅର୍ଡିନେଟରମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, କ୍ଲବର ଜଣେ ସଦସ୍ୟ ଅତି କମରେ ୧୫ ଜଣଙ୍କୁ ସଚେତନ କରାଇବା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ। ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସଂଯୁକ୍ତ ସାହୁ ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷର ବିଶ୍ବ ଏଡସ ଦିବସର ଅନୁଚିନ୍ତା ରହିଛି, - ‘ବିଶ୍ବ ଏକତା, ସହଭାଗୀ ଦାୟିତ୍ବ’ । ଏହି ଦାୟିତ୍ବ ନିର୍ବହନ ସହିତ ୨୦୩୦ ସୁଦ୍ଧା ଏଡସ ସଂକ୍ରମଣର ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଓସାକ୍ସ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅବିରତ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯୋଗଦେଇଥିଲା ବେଳେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ (ଏମଏସ) ଡ. ଅଜିତ ମହାନ୍ତି ଯୋଗଦେଇଥିଲେ। ଓସାକ୍ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ବିନା ମୂଲ୍ୟରେ ଉପଲବ୍ଧ ସ୍ବାସ୍ଥ୍ୟ ସେବା ଏବଂ ଘୃଣା ଭେଦଭାବ ବିହୀନ ସହାୟତା ସହଯୋଗ ଦ୍ବାରା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ଓସାକ୍ସ ଠାରେ 2ଟି ଆଇସି ପ୍ରଚାର ଭ୍ୟାନକୁ ସ୍ବତନ୍ତ୍ର ସଚିବ ଡ. ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ସାହୁ ଶୁଭାରମ୍ଭ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଙ୍ଗଳବାର ଠାରୁ ସଚେତନଧର୍ମି ଆଇସି ପ୍ରଚାର ଭ୍ୟାନର ଆରମ୍ଭ କରାଯାଇଛି। ଯାହା ଆଗାମୀ 7 ଦିନ ଧରି ଏଡସ ସଚେତନତା କାର୍ଯ୍ୟ କରିବ। ଏହି ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ଡ. ଅଞ୍ଜନା ପଣ୍ଡା, ବିତ ପରାମର୍ଶଦାତ୍ରୀ ରଞ୍ଜିତା ବେହେରା, ପ୍ରୋକ୍ୟୋରମେଣ୍ଟ ଅଧିକାରୀ ବରେନ୍ଦ୍ର ନାଥ ବେଜ ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details