ଭୁବନେଶ୍ବର: ହୋଲି ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଗଳବନ୍ଦୀ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଗୁରୁକୁଳର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବଂଶୀ ବାଦନରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।
ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭାମାନଙ୍କ କଳା ପ୍ରଦର୍ଶନର ଉପଭୋଗ ନେଉଥିଲେ କଳାପ୍ରେମୀ । ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ଡ. ହରିପ୍ରସାଦ ଚୌରାସିଆ ଓ ମୁଖ୍ୟ ଶାସନ ସଚିବ ସୁରେଶ ପୂଜାରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ମହୋତ୍ସବ କଳାନୁରାଗୀ ଓ କଳାର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବା ସହିତ ଅନୁପ୍ରାଣିତ କରିବ ବୋଲି ଡ. ଚୌରାସିଆ କହିଥିଲେ । ଶାସ୍ତ୍ରୀୟ ସଙ୍ଗୀତର ବହୁଳ ପ୍ରଚାରପ୍ରସାର ପାଇଁ ଏଭଳି ଉତ୍ସବର ଆୟୋଜନ କରାଯାଇଥିଲା ।