ନୂଆଦିଲ୍ଲୀ: ଚିଠା ଜାତୀୟ ଶିକ୍ଷା ନୀତିକୁ ନେଇ ଦିଲ୍ଲୀରେ ଚାଲିଥିବା ମାନସମନ୍ଥନରେ ରାଜ୍ୟ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରସ୍ତାବିତ ନୀତିରେ କେତେକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ଚିଠା ନୀତିରେ ରହିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସ୍ବାଗତ କରିଥିବା ବେଳେ କେତେକ ବୈଷୟିକ ଦିଗ ପ୍ରତି ଧ୍ୟାନ ଦେଇ କେତେକ ସଂଶୋଧନ ପାଇଁ ସୁପାରିଶ କରାଯାଇଛି ।
ଚିଠା ନୀତିରେ ଗ୍ରସ ଏନରୋଲମେଣ୍ଟ ରେସିଓକୁ ବର୍ତ୍ତମାନର 27 ପ୍ରତିଶତରୁ 50 ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହି ଲକ୍ଷ୍ୟ କିଭଳି ପୂରଣ ହେବ ସେନେଇ କିଛି କୁହାଯାଇନି । ଧନ୍ଦାମୂଳକ ଶିକ୍ଷାର ବ୍ୟାପକତା ଅନ୍ୟତମ ଦିଗ ହୋଇପାରେ । କିନ୍ତୁ ଗ୍ରସ ଏନରୋଲମେଣ୍ଟ ବୃଦ୍ଧି କରିବାକୁ ଯାଇ ଶିକ୍ଷାର ମାନକୁ ପ୍ରଭାବିତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଚିଠା ନୀତିରେ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ଏକକ କିମ୍ବା ସ୍ବୟଂଶାସିତ ବିଶ୍ବବିଦ୍ୟାଳୟର ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏହାଦ୍ବାରା ଉଚ୍ଚଶିକ୍ଷାର ମାନ ପ୍ରଭାବିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି । ବରଂ ବର୍ତ୍ତମାନ ପ୍ରଚଳିତ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧନ ମାନ୍ୟତା ପ୍ରଦାନ ପ୍ରକ୍ରିୟା ଜାରି ରଖାଯିବା ଉଚିତ । ଅଧିକ ବିଶ୍ବବିଦ୍ୟାଳୟ ଖୋଲି ପ୍ରତି ବିଶ୍ବବିଦ୍ୟାଳୟ ଅଧିନରେ ସର୍ବାଧିକ 50ଟି ଶିକ୍ଷାନୁଷ୍ଠାନ ରଖାଯିବା ସହ ସେମାନଙ୍କୁ ଶିକ୍ଷାର ମାନ ନେଇ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଚିଠା ନୀତିରେ 2030 ସୁଦ୍ଧା ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ବହୁମୁଖୀ ଶୃଙ୍ଖଳା ଅନୁଷ୍ଠାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡକ୍ଟର ସାହୁଙ୍କ ମତରେ ଇତିହାସ, ପରିବେଶ ଓ ସାହିତ୍ୟ ଭଳି ବିଷୟ ସବୁ ଉଚ୍ଚଶିକ୍ଷା ଅନୁଷ୍ଠାନରେ ପଢାଇଯାଇପାରିବ, କିନ୍ତୁ ଆଇନ କଲେଜରେ ଫାର୍ମାସି ପାଠ ପଢାନଯାଉ ବୋଲି ସେ କହିଛନ୍ତି । ଯେହେତୁ 93 ପ୍ରତିଶତ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ପଢୁଛନ୍ତି, ଏନଆରଏଫ ପାଣ୍ଠିର ଅନ୍ୟୁତ 50 ପ୍ରତିଶତ ଅର୍ଥ ବିଶ୍ବବିଦ୍ୟାଳୟମାନଙ୍କୁ ଉପଲବ୍ଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।