ଓଡିଶା

odisha

ETV Bharat / city

ବିଧାନସଭାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ତାତି: ବିଜେପି-କଂଗ୍ରେସ ମୁହାଁମୁହିଁ

ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା । ଅପରାହ୍ନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ଗୃହ ମୂଲତବୀ ପରେ ବାହାରେ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ।

By

Published : Jul 16, 2019, 11:11 PM IST

ଫଟୋ ସୌଜନ୍ୟ ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା । ଶୂନ୍ୟକାଳରେ ଉଠିଥିଲା ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ । ଫଳରେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ।

ବିଧାନସଭାରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଇନଜୀବୀ ପ୍ରତିନିଧିଙ୍କୁ ଭେଟିବା ପାଇଁ ସମୟ ଦିଅନ୍ତୁ । ଏଥିସହିତ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ଗଠନ ଉପରେ କମିଶନ ଯେଉଁ ରିପୋର୍ଟ ଦେଇଥିଲା ତାହା ବର୍ତ୍ତମାନ ସୁଦ୍ଧା କାହିଁକି ରିପୋର୍ଟକୁ ଗୃହରେ ଉପସ୍ଥାପନା କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଏହି ରିପୋର୍ଟ 6 ମାସ ମଧ୍ୟରେ ବିଧାସଭାରେ ଉପସ୍ଥାପନା ହେବା କଥା । କିନ୍ତୁ ଇତିମଧ୍ୟରେ 6 ବର୍ଷ ବିତିଯାଇଛି । ଉକ୍ତ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ଏଥିପାଇଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା ।

ଭିଡିଓ ସୌଜନ୍ୟ ସମ୍ବାଦଦାତା, ଭୁବନେଶ୍ବର

ସେପଟେ ଗୃହ ମୁଲତବୀ ପରେ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିଲେ । ବାରମ୍ବାରରେ ଗୃହରେ ହୋହାଲ୍ଲା କରି ଗୃହରେ ବିଜେପିକୁ କିଛି କହିବାର ସୁଯୋଗ ଦିଆଯାଉନାହିଁ ବୋଲି ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ଆଉ ଏମିତି କିଛି କରିବାକୁ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳର ଉପନେତାଙ୍କ ଅଭିଯୋଗର ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେପି ଓ ବିଜେଡି ମଧ୍ୟରେ ବୁଝାମଣା ହୋଇଥିବା କଥା ସମସ୍ତେ ଜାଣିଛନ୍ତି । ଯଦି ନୁହେଁ ତେବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସେମାନେ ଆମ ସହିତ କାହିଁକି ରହିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆମର କାହା ସହିତ ବୁଝାମଣା ହୋଇନାହିଁ । ବୁଝାମଣା ହୋଇଛି ତ ବିଜେପି ଓ କଂଗ୍ରେସ ଭିତରେ । ଯଦ୍ବାରା ସେମାନେ ଗୃହ ଚଳାଇ ଦେଉନାହାନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details