ଭୁବନେଶ୍ବର:ରାଜଧାନୀରେ ତେଜିପାରେ ଅଗ୍ନିପଥର ନିଆଁ । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ(Agnipath Scheme Protest) ବିରୋଧ କରି ଭୁବନେଶ୍ବରରେ ପ୍ରତିବାଦ ହେବା ନେଇ ସ୍ପେଶାଲ ଇଣ୍ଟେଲିଜେନସ ପକ୍ଷରୁ ସୂଚନା ମିଳିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସହରରେ ହାଇ ଆଲର୍ଟ ଜାରି କରାଯାଇଛି । କୌଣସି ପ୍ରକାର ହିଂସା ତଥା ବିଶୃଙ୍ଖଳା ଆଶଙ୍କା କରି 4 ଜଣଙ୍କୁ ପୋଲିସ ଉଠାଇ ଆଣିଛି ।
ଭୁବନେଶ୍ୱରକୁ ଅଗ୍ନିପଥ ଭୟ, 4 ଜଣଙ୍କୁ ଉଠାଇ ଆଣିଲା ପୋଲିସ ଉକ୍ତ 4 ଜଣ ଯୁବକ ମାଷ୍ଟରକ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇଥିବା ବେଳେ ସନ୍ଦେହ କରି ପୋଲିସ ସେମାନଙ୍କୁ ଉଠାଇ ଆଣିଛି । ଅଗ୍ନିପଥ ନେଇ ସହରରେ ହାଇଆଲର୍ଟ ଜାରି ହୋଇଥିବା ବେଳେ ଏଭଳି ପଦକ୍ଷେପମାନ ଗ୍ରହଣ କରାଯାଉଛି । ସେମାନଙ୍କ ସମ୍ପର୍କିୟ ଆସିବା ପରେ ପୋଲିସ ପଚରାଉଚରା କରି ଛଡାଯିବ ବୋଲି ଏସିପି ତଥା ଆଇଆଇସି ଇନଚାର୍ଜ ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି । ଅନ୍ୟପଟେ ସୁରକ୍ଷାକୁ ଆଖି ଆଗରେ ରଖି ଭୁବନେଶ୍ବରରେ ବିଭିନ୍ନ ଛକ ଓ ଟ୍ରାଫିକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତ ଥାନା ଓ ଏସିପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ରହିଛି ।
ବିଶେଷ କରି ଭୁବନେଶ୍ୱର ଷ୍ଟେସନସକୁ ହାଇ ଆଲର୍ଟ ଜାରି କରାଯାଇଛି । ଷ୍ଟେସନ ବାହାରେ ଓ ଭିତରେ ବ୍ୟାପକ ଫୋର୍ସ ସହ ଆରପିଏଫ ଅଧିକାରୀ ବନ୍ଧୁକ ସହ ମୁତୟନ ହୋଇଛନ୍ତି । ରେଳ ଷ୍ଟେସନରେ ଗୋଟିଏ ପ୍ଲାଟୁନଫୋର୍ସ ଆଲର୍ଟ ରହିଥିବାବେଳେ, କମିସନରେଟ ପୋଲିସର ବ୍ୟାପକ ଫୋର୍ସଙ୍କୁ ଆଲର୍ଟ କରାଯାଇଛି । ଭୁବନେଶ୍ୱର କମିସନରେଟ ପୋଲିସ ପକ୍ଷରୁ ମୋଟ 15ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଆର୍ମି କ୍ୟାମ୍ପକୁ ମଧ୍ୟ କଡା ସୁରକ୍ଷା ଦିଆଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।
ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ବ୍ୟାପିବାରେ ଲାଗିଛି । ବିହାରରୁ ସୃଷ୍ଟି ହୋଇଥିବା ଅଗ୍ନିପଥ ନିଆଁ ଉତ୍ତରପ୍ରଦେଶ, ରାଜସ୍ଥାନ, କେରଳ, ମଧ୍ୟପ୍ରଦେଶ, ଦିଲ୍ଲୀ, ତେଲେଙ୍ଗାନା, ହରିୟାଣା, ଉତ୍ତରାଖଣ୍ଡ ଆଦି ବିଭିନ୍ନ ରାଜ୍ୟରେ ବ୍ୟାପିଛି । ଯୁବସେନା ଆଶାୟୀମାନେ ଟ୍ରେନ ଜାଳିବା ଠାରୁ ଆରମ୍ଭ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଓଡ଼ିଶାରେ ଏଭଳି ସ୍ଥିତିକୁ ରୋକିବା ପାଇଁ ଆଗୁଆ ସତର୍କ ହୋଇଛି କମିଶନରେଟ ପୋଲିସ।
ଇଟିଭି ଭାରତ, ଭୁବନେଶ୍ବର