ଓଡିଶା

odisha

ETV Bharat / city

ଅଲୋଡା ଅନ୍ତର୍ଜାତୀୟ ଆଥଲେଟ ପୁର୍ଣ୍ଣିମା, ଅଲମ୍ପିକ୍ସରେ ଦୌଡିବା ପାଇଁ ସରକାରଙ୍କୁ ଅପେକ୍ଷା - ହେପଟାଥଲନ ଖେଳାଳି

ମୟୁରଭଞ୍ଜ ଜିଲ୍ଲାର ଅଖ୍ୟାତ ପଲ୍ଲୀ ଅସମାର ସାନ୍ତାଳ ପରିବାରରେ ଜନ୍ମିତ ପୂର୍ଣ୍ଣିମା । 2009ରୁ 2012 ମସିହା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । କିନ୍ତୁ ଏତେ ସବୁ କରିବା ସତ୍ତ୍ବେ ସରକାରୀ ଅବହେଳାର ଶିକାର ହେଉଥିବା କହିଛନ୍ତି ପୂର୍ଣ୍ଣିମା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 13, 2019, 4:49 PM IST

Updated : Aug 13, 2019, 11:54 PM IST

ଭୁବନେଶ୍ବର: ଆଥଲେଟିକ ପ୍ରତିଯୋଗିତାରେ ଭାଗନେବା ଦିନଠାରୁ ପୂର୍ଣ୍ଣିମାର ଜହ୍ନ ପରି ଉଦିୟମାନ ହୋଇ ରାଜ୍ୟ ଓ ଦେଶ ପାଇଁ ଅନେକ ଗୌରବ ଆଣିଦେଇଛନ୍ତି ସେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସହ ଗରିବ ଘରର ଝିଅ ହୋଇଥିଲେ ମଧ୍ୟ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ କ୍ରମାଗତ ଭାବେ ଜାତୀୟ ପ୍ରତିଯୋଗିତା ମାନଙ୍କରେ ସଫଳତା ହାସଲ କରିବା ସହିତ ଦେଶ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବାର ସୌଭାଗ୍ୟ ପାଇଛନ୍ତି । ଆଉ ସେଥିରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ ପୂର୍ବକ ସଫଳତାର ଛାପ ଛାଡ଼ିଛନ୍ତି । କିନ୍ତୁ ଏତେ ସବୁ କରିବା ସତ୍ତ୍ବେ ସରକାରୀ ଅବହେଳାର ଶିକାର ହେବା ସହ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେବାକୁ ଅର୍ଥ ପାଇଁ ଚଲାଇଛନ୍ତି ସଙ୍ଘର୍ଷ । ସାହାଯ୍ୟ ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ଓଡିଶାର ଗର୍ବ ଓ ଗୌରବ ହେପଟାଥଲନ ଖେଳାଳି ପୂର୍ଣ୍ଣିମା ହେମ୍ବ୍ରମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମୟୁରଭଞ୍ଜ ଜିଲ୍ଲାର ଅଖ୍ୟାତ ପଲ୍ଲୀ ଅସମାର ସାନ୍ତାଳ ପରିବାରରେ ଜନ୍ମିତ ପୂର୍ଣ୍ଣିମା ହେମ୍ବ୍ରମ । 4ଭାଇ ଭଉଣୀଙ୍କ ମଧ୍ୟରେ ସମସ୍ତଙ୍କ ଠାରୁ ବଡ଼ । ନିଜର ପରିଶ୍ରମ ପାଇଁ ସେ ଏହି ଖେଳକୁ ନିଜର କ୍ୟାରିଅର ଭାବେ ବାଛି ନେଲେ । କିନ୍ତୁ ଏଥିରେ ନା ତାଙ୍କ ପରିବାରର ପ୍ରତିପୋଷଣ ହୋଇ ପାରୁଛି ନା ସେ ଆଗକୁ ବଢ଼ିବା ପାଇଁ କୌଣସି ପ୍ରସ୍ତୁତି କରିପାରୁଛନ୍ତି । 2009 ମସିହାରୁ 2012 ମସିହା ପ୍ରାୟ ସମସ୍ତ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 2011 ରୁ 19 ମଧ୍ୟରେ ମଧ୍ୟ ଅନେକ ଜାତୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଛନ୍ତି । ଆହୁରିମଧ୍ୟ ଆନ୍ତର୍ଜାତୀୟ ସ୍ତରରେ 2ଥର ଏସିଆନ ଚାମ୍ପିଆନସିପ 2015 ଓ 17ରେ କାଂସ୍ୟ ପଦକ ଜିତିଛନ୍ତି । ଏହାସହ ସେ ଆହୁରି ଅନେକ ସ୍ଥାନରେ ନିଜ ପ୍ରଦର୍ଶନ ମାଧ୍ୟମରେ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ଏସବୁ ପରେ ବି ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳିନଥିବା ସେ କହିଛନ୍ତି । ଯଦି ବି କିଛି ସରକାରୀ ସାହାଯ୍ୟ ମିଳେ ସେଥିପାଇଁ ତାଙ୍କୁ ଅନେକ ଥର ଦୌଡ଼ିବାକୁ ପଡିଥାଏ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏସବୁକୁ ବିଚାରକୁ ନେଇ ତାଙ୍କର ପ୍ରସ୍ତୁତି ପାଇଁ ଆନୁସଙ୍ଗିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଅନ୍ତି ତେବେ ସେ ଆଗାମୀ ୱାର୍ଲ୍ଡ ଚାମ୍ପିଆନସିପ ଓ ଅଲମ୍ପିକରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତି କରିପାରନ୍ତେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁର୍ଣ୍ଣିମାଙ୍କୁ 2014 ମସିହାରେ ରେଳବାଇରେ କମାର୍ସିଆଲ କ୍ଲର୍କ ଭାବେ ଚାକିରି ମିଳିଛି । ତାଙ୍କୁ 20 ହଜାର ଟଙ୍କା ଦରମା ମଧ୍ୟ ମିଳୁଛି । କିନ୍ତୁ ତାଙ୍କ ପ୍ରଶିକ୍ଷଣ ପାଇଁ ତାହା ଯଥେଷ୍ଟ ହୋଇପାରୁନାହିଁ । ବିଦେଶରେ ଜଣେ ଭଲ କୋଚ ଓ ଫିଜିଓଙ୍କ ସହ ଟ୍ରେନିଂ ନେବାକୁ ହେଲେ ପାଖାପାଖି 1 ରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ।

ସରକାର ଓଡିଶାକୁ କ୍ରୀଡ଼ାର ରାଜଧାନୀ ବୋଲି ଡିଣ୍ଡିମ ପିଟିବା ସହ ବଡ଼ ବଡ଼ ଇଭେଣ୍ଟ ଓଡ଼ିଶାରେ ଆୟୋଜନ କରାଇବା ଓ ନିଜକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଡିଶା ଜାତୀୟ ଦଳର ପ୍ରାୟୋଜକ ହେଉଥିବା ବେଳେ ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କ ପ୍ରତି ଅବହେଳା ସ୍ପଷ୍ଟ ପ୍ରତୀୟମାନ ହେଉଛି । ତେଣୁ ଏଭଳି ଉଦୀୟମାନ ପ୍ରତିଭାର ପ୍ରସ୍ଫୁଟନ ପାଇଁ ସରକାର ଆନ୍ତରିକତାର ସହିତ ସହଯୋଗ କଲେ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ନାମ ଆହୁରି ଆଗକୁ ଯାଇପାରିବ ବୋଲି ଆଥଲେଟିକ ଆସୋସେସନର ସମ୍ପାଦକ ଶିବ ପ୍ରସାଦ ମିଶ୍ର ଫୋନ ଯୋଗେ ବାର୍ତ୍ତାଳାପ ବେଳେ ପ୍ରକାଶ କରିଛନ୍ତି।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 13, 2019, 11:54 PM IST

ABOUT THE AUTHOR

...view details