ଭୁବନେଶ୍ବର: ମହାମାରୀ କୋରନା ଲୋକଙ୍କ ଜୀବନ ନେଉଛି । ରାଜ୍ୟ ସରକାର ଓ ଓମଫେଡ ଲୋକଙ୍କ ଜୀବିକା ଛଡାଇ ନେଇଛି । କ୍ଷମତାରୁ ବହୁ କମ ଦୁଗ୍ଧ ସଂଗ୍ରହ କରି ଚାଷୀଙ୍କ ଜୀବନ ନେବାକୁ ବସିଛନ୍ତି ସରକାର ଓ ଓମଫେଡ । ଏପରି କିଛି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।
ହାତ ଟେକି ଦେଲା ଓମଫେଡ; ଚିନ୍ତାରେ ଦୁଗ୍ଧ ଚାଷୀ ଦୁଗ୍ଧ ସଂଗ୍ରହ ହ୍ରାସ କରିବା ଲାଗି ଓମଫେଡ୍ ତାହାର ସମସ୍ତ ଜୋନର ସାଧାରଣ ପରିଚାଳକମାନଙ୍କୁ ପତ୍ର ଲେଖିଛି । ସାମୟିକ ଭାବେ ଦୁଗ୍ଧ ସଂଗ୍ରହ ବନ୍ଦ ପାଇଁ କିଛି ପରିଚାଳକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛି ଓମଫେଡ୍ । ଦୈନିକ ଦୁଗ୍ଧ ସଂଗ୍ରହ ପରିମାଣ ୫ ଲକ୍ଷ ୪୫ ହଜାର କିଲୋକୁ ବୃଦ୍ଧି ହୋଇଥିଲା । ପ୍ରାୟ ୩.୭୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହ୍ରାସ କରି ଏହାକୁ ୨ ଲକ୍ଷ ଲିଟରକୁ ଆଣିଛି ଓମଫେଡ୍ । କୋଭିଡ କଟକଣା ଯୋଗୁଁ ଓମଫେଡର ଦୁଗ୍ଧ ବିକ୍ରି ହ୍ରାସ ପାଇବାରେ ଲାଗିଛି ବୋଲି କହିଛି ଓମଫେଡ । ତେଣୁ ଲକ୍ଡାଉନ୍ ଓ ସଟ୍ଡାଉନରେ ଆଉ ଚାଷୀଙ୍କ ଠାରୁ ଦୁଗ୍ଧ କିଣି ହେବନାହିଁ ବୋଲି କହିଛି ଓମଫେଡ । ଦୁଇ ଦିନ ହେଲା ଓମଫେଡ୍ ଦୁଗ୍ଧ ସଂଗ୍ରହ ବନ୍ଦ ହୋଇଯାଇଛି । କଟକଣା ଯୋଗୁଁ ଦୁଗ୍ଧ ବିକ୍ରି ହୋଇନପାରିବାକୁ ବଡ କାରଣ ବୋଲି ଦର୍ଶାଇଛି ଓମଫେଡ ।
ଓମଫେଡ୍ର ଦୁଗ୍ଧ ମହଜୁଦ ରଖିବାର କ୍ଷମତା ୯.୧ଲକ୍ଷ ଲିଟର । ଯେହେତୁ ବିକ୍ରି କମିଛି ଅଧିକ ଦୁଗ୍ଧକୁ ଦୀର୍ଘଦିନ ଧରି ମହଜୁଦ କରି ରଖାଯିବା ସମ୍ଭବପର ନୁହେଁ ବୋଲି କହିଛି ଓମଫେଡ । ଦୁଗ୍ଧ ନଷ୍ଟ ହେବ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଗ୍ଧ ସଂଗ୍ରହକୁ ଓମଫେଡ୍ ବନ୍ଦକରି ଦେଇଛି । ଓମଫେଡ ସହ ଅନ୍ୟ ଘରୋଇ ଦୁଗ୍ଧ ସଂଗ୍ରହକାରୀ ସଂସ୍ଥାମାନେ ମଧ୍ୟ ସମାନ ରାସ୍ତା ଆପଣାଇଛନ୍ତି । ସେମାନେ ମଧ୍ୟ ଦୁଗ୍ଧ ସଂଗ୍ରହ ବନ୍ଦ କରିଛନ୍ତି । ଫଳରେ ଦୁଗ୍ଧଚାଷୀଙ୍କ ଚିନ୍ତା ବଢି ଯାଇଛି ।
ସେପଟେ ଦୁଗ୍ଧ ଚାଷୀଙ୍କ ଏଭଳି ସ୍ଥିତି ପାଇଁ ଓମଫେଡ ଦାୟୀ ବୋଲି କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ । ଗୁଣ୍ଡଦୁଗ୍ଧ ପ୍ରସ୍ତୁତି କରିବା ପାଇଁ ୨୦୧୦ ରେ ଓମଫେଡ୍ କର୍ତ୍ତୃପକ୍ଷ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ୨୦୦୩ ରେ ଓମଫେଡ୍ ଉପରୁ ୮ କୋଟି ଟଙ୍କାର ଟିକସ ଛାଡ଼ ହୋଇଥିଲା । ଦୁଗ୍ଧ ଚାଷୀଙ୍କ ବିକାଶ କରିବା ଲାଗି ଟଙ୍କା ବ୍ୟବହାର କରିବା ଲାଗି କୁହାଯାଇଥିଲା । ହେଲେ ଓମଫେଡ୍ ଚାଷୀଙ୍କ ବିନାଶ ଲାଗି କାର୍ଯ୍ୟ କରୁଛି ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି । ପୂର୍ଣ୍ଣ କ୍ଷମତାରେ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରିବା ଲାଗି ପଞ୍ଚାନନ ଦାବି କରିଛନ୍ତି । ବଳକା ଦୁଗ୍ଧର ପରିଚାଳନା ଲାଗି ବିକଳ୍ପ ବାଟ ବାହାର କରୁ ଓମଫେଡ୍ । ଏହି ବଳକା ଦୁଗ୍ଧରୁ ଘିଅ ପ୍ରସ୍ତୁତ କରି ମହଜୁଦ କରିବାକୁ ଦାବି ସେ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ