ଭୁବନେଶ୍ବର: ସ୍ମାର୍ଟ ଟ୍ରାଫିକ ,ସ୍ମାର୍ଟ ପୋଲିସ । ବେପରୁଆ ଟ୍ରାଫିକ ପୋଲିସ ସାଧାରଣ ଲୋକଙ୍କ ପାଇଁ କଠୋର ହେଲେ ବ୍ୟବସାୟୀଙ୍କ ପାଇଁ କୋହଳ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।
ବେପରୁଆ ଭୁବନେଶ୍ବର ଟ୍ରାଫିକ ପୋଲିସ ସହରବାସୀଙ୍କୁ ବିପଦରେ ପକାଇ ଜୀବନ ସହ ଖେଳୁଛନ୍ତି ଟ୍ରାଫିକ ପୋଲିସ । ଟ୍ରାଫିକ ଡିସିପିଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ କନଷ୍ଟେବଳ କାହାର ଏଥିପ୍ରତି ଦୃଷ୍ଟି ପଡୁନି । ଦ୍ରୃତଗତିରେ ସହର ଭିତରେ ପଶୁଛି ଭାରିଯାନ । ଭାରୀଯାନ ପ୍ରବେଶ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ କଟକଣା ରହିଥିଲେ ବି ମାନୁନାହାନ୍ତି ଭାରୀଯାନ ଚାଳକ ।
ତେବେ ପ୍ରଶ୍ନ ଉଠୁଛି ସହର ଭିତରକୁ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାରିଯାନ ପଶିବାର ନିଷେଧ ରହିଛି । ନିୟମ ଅବମାନନା କରି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ମାଲ ବୋଝେଇ ଟ୍ରକ ସହର ଭିତରକୁ ପଶୁଛନ୍ତି । ତାହା ପୁଣି ଦ୍ରୃତ ବେଗରେ ଏବଂ ହାଇପ୍ରୋଫାଇଲ ଏରିଆରେ । ଯଦି କୌଣସି ଟ୍ରକ ବ୍ରେକ ଫେଲ ହୋଇଯାଏ ଅଘଟଣ ଘଟିବା ସୁନିଶ୍ଚିତ ।
ତେବେ ଏପରି ଭାରିଯାନ ପଶୁଥିଲେ ମଧ୍ୟ ଟ୍ରାଫିକ ପୋଷ୍ଟରେ ଲାଗିଥିବା କ୍ୟାମେରା କି ଟ୍ରାଫିକ କର୍ମଚାରୀ କେହି ଅଟକାଉ ନାହାନ୍ତି । ଯାହା ସହରବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିୟମ ରହିଛି, ଯଦି କୌଣସି ସମୟରେ ଜରୁରୀ ରହିଥିବ ତେବେ ଡିସିପି ଟ୍ରାଫିକଙ୍କ ଅନୁମତି ନେଇପାରିବେ । ଏଥିପାଇଁ ନିୟମ ଅନୁସାରେ ୨୦ କିମି ବେଗ ଲିମିଟ୍ ରହିଛି । ଟ୍ରାଫିକ ସିଗନାଲ ମାନିବା ସହ ବିପଦପୂର୍ଣ୍ଣ ଭାବେ ଚାଳନା କରିପାରିବେ ନାହିଁ। କିନ୍ତୁ ଏହି ଦୃଶ୍ୟରୁ ଏସବୁର ଉଲଙ୍ଘନ ହେଉଥିବା ସ୍ପଷ୍ଟ ନଜିର ରହିଛି । ଯାହା ଏବେ କମିସନରେଟ ପୋଲିସ ଓ ଟ୍ରାଫିକ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏନେଇ ଟ୍ରାଫିକ ଡିସିପିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ